ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଲୋକ ସଭା ଏମପି

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): କେନ୍ଦ୍ର ରାଜ୍ୟର 6 ରେଳ ପ୍ରକଳ୍ପ ଉପରେ ମୋହର ମାରିଥବାବେଳେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ସେଥିରୁ ବାଦ୍‌ ପଡ଼ିଛି। ଏହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୋମବାର ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ପୁଣିଥରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବରଗଡ଼-ନୂଆପଡା ରେଳପଥ ନିର୍ମାଣ ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଏ ନେଇ ସେ ରେଳମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି, ଗତ ପଦ୍ମପୁର ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ଭାଜପା ସରକାର ଆସିଲେ ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଭୋଟର ମଧ୍ୟ ବହୁ ପରିମାଣରେ ଭାଜପା ସପକ୍ଷରେ ମତଦାନ କରି ଲୋକ ସଭା ପ୍ରାର୍ଥିଙ୍କୁ ଇଲେକ୍ସନ ଚାମ୍ପିୟନ କରିଛନ୍ତି। କିନ୍ତୁ ନିକଟରେ ରେଳ ପ୍ରକଳ୍ପ ଗୁଡ଼ିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବାବେଳେ ବରଗଡ଼-ନୂଆପଡା ରେଳ ପ୍ରକଳ୍ପ ସେଥିରୁ ବାଦ୍‌ ଦେବା ଦୁର୍ଭାଗ୍ୟଜନକ ବୋଲି ଏମପି ପୁରୋହିତ କହିଛନ୍ତି।

Share