ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କୁ ଭବିଷ୍ୟତରେ କ୍ୟାନସର ରୋଗରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମାଗଣାରେ ଏଚପିଭ ଭ୍ୟାକସିନ୍ ଦିଆଯିବା ପ୍ରସ୍ତାବ ଆଗାମୀ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ଏନେଇ ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମହିଳା ସମିତି ପକ୍ଷରୁ ଦାବିପତ୍ର ଦିଆଯିବା ପ୍ରସଙ୍ଗରେ କହିଛନ୍ତି। ବରଗଡ଼ ମହିଳା ସମିତି ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି ଯେ, ମୁଖ୍ୟତଃ ଆମ ଦେଶରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ସର୍ଭାଇକାଲ କ୍ୟାନସର ଦ୍ୱିତୀୟ ସାଧାରଣ ରୋଗଭାବେ ଚିହ୍ନଟ ହୋଇଛି। ୫୦ରୁ ୫୫ ବର୍ଷ ବୟସ୍କ ମହିଳାଙ୍କଠାରେ ଏହି ରୋଗ ଦେଖାଯାଉଛି। ଫଳରେ ଏହାର ପ୍ରତିକାର ପାଇଁ ୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯିବାକୁ ମହିଳା ସମିତି ମନ୍ତ୍ରୀଙ୍କଠାରେ ଦାବି କରିଛି।
ସେହିପରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ବୟଂ ସମ୍ପୁର୍ଣ୍ଣ କରାଯିବା ନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମିତିର ସଭାନେତ୍ରୀ ହର୍ଜିନ୍ଦର କୌର, ସମ୍ପାଦିକା ଈନ୍ଦ୍ରାଣୀ ଶତପଥୀ, ଉପସଭାନେତ୍ରୀ ମନ୍ଦାକିନୀ ପତିଙ୍କ ସମେତ ସଦସ୍ୟା ଜୟଗୀତା ପଣ୍ଡା, ପଦ୍ମିନୀ ସାହୁ, ଜୟନ୍ତୀ ପ୍ରଧାନ, ସୁଜାତା ପଣ୍ଡା, ମାମୀ ମିଶ୍ର, ସଂଘମିତ୍ରା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ବିକଶୀତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କ ସମେତ ଭାଜପା ଜିଲା ସଭାପତି ଡା. ଅରୁପାନନ୍ଦ ସାହୁ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିକଶିତ ଭାରତ-୨୦୧୭ ଏବଂ ଉତ୍କର୍ଷ ଓଡ଼ିଶା-୨୦୩୬ ପାଇଁ ବଜେଟରେ ରୋଡ ମ୍ୟାପ ତିଆରି ହୋଇଛି ଏବଂ ଏଥିରୁ ତାର ମୂଳଦୁଆ ପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଯୁବ, ଚାଷୀ, ସ୍ବାସ୍ଥ୍ୟ ସବୁକ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଲୋକଙ୍କ ପ୍ରସ୍ତାବ ନେଇ ବଜେଟ ପ୍ରସ୍ତୁତ ହୋଇଛି। ସେହିପରି ବଜେଟ ପରେ ମଧ୍ୟ ଲୋକଙ୍କ ମତ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।