ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁରଲିପାଲି ଗ୍ରାମର ଶୁଶୀଲ ଭୋଇ (୨୨), ସରେଇପାଲି ଗ୍ରାମର ଚନ୍ଦ୍ରଶେଖର କାଲୋ(୪୭) ଓ କଣ୍ଢେଇକେଲା ଗ୍ରାମର ଦନାର୍ଦ୍ଦନ ଭୋଇ (୩୯)। ଅନ୍ୟ ଜଣେ ଫେରାର ଥିବା ବେଲପାହାଡ଼ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, କଣ୍ଢେଇକେଲା ଅଞ୍ଚଳରେ ୧୧ କେଭି ବିଦ୍ୟୁତ୍‌ ତାର ବିଛାଇ ଏକ ବାର୍‌ହା ଶିକାର କରାଯାଇଥିଲା। ପରେ ବାର୍‌ହାକୁ କାଟି ଏକ ପୋଖରୀ ହୁଡ଼ାରେ ମାଂସ କରି ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ବନାଞ୍ଚଳ ଅଧିକାରୀ ଘଟଣା ସମ୍ପର୍କରେ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ବନପାଳ ଡୋଳାମଣି ନାଏକ, ବେଲପାହାଡ଼ ବନପାଳ ପ୍ରଦୀପ ନାଏକ, ଲଖନପୁର ବନପାଳ ସୁନୀଲ ଭୋଇଙ୍କ ସମେତ ଏକ ଟିମ୍‌ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ ବାର୍‌ହା ମାଂସ ଗୋଟ ଆଦି ଜବତ କରି ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ବନ ବିଭାଗ ଏକ ମାମଲା(ନଂ.୧୨୪/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।