ନିର୍ବାଚନ ଅଧିକାରୀ ଦେଇଥିବା ଭୋଟ ନାକଚ ଦାବି

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ସିଭିଲ ଜଜ୍‌ (ସିନିୟର ଡିଭିଜନ) ତଥା ନିର୍ବାଚନ ଟ୍ରିବ୍ୟୁନାଲ ଯାଜପୁରଙ୍କ ନିକଟରେ ଏକ ମାମଲା ଦାଏର କରିଛନ୍ତି। ନିର୍ବାଚନ କେଶ ନଂ.୧୮ା୨୨ରେ ବେହେରା ଏହି ମାମଲାରେ ବରୀ ପଞ୍ଚାୟତ ସମିତିର ନବନିର୍ବାଚିତ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି, ନିର୍ବାଚନ ଅଧିକାରୀ ତଥା ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ବାଇଁଙ୍କୁ ପକ୍ଷଭୁକ୍ତ କରିଛନ୍ତି। ବେହେରା ଦର୍ଶାଇଛନ୍ତି ଯେ, ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀ ୬ ସମିତିସଭ୍ୟାସଭ୍ୟଙ୍କ ଭୋଟ୍‌ ନିଜେ ଦେବା ସରକାରୀ ନିୟମ ଉଲ୍ଲଂଘନ କରୁଛି। ତେଣୁ ନିର୍ବାଚନ ଅଧିକାରୀ ଦେଇଥିବା ଉକ୍ତ ଭୋଟ୍‌କୁ ନାକଚ କରି ଫଳାଫଳ ଘୋଷଣା କରିବାକୁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଉକ୍ତ ବ୍ଲକ ଅଧୀନ ୨୯ଟି ପଞ୍ଚାୟତ ମଧ୍ୟରୁ ୬ ସମିତିସଭ୍ୟାସଭ୍ୟ ଅଧ୍ୟକ୍ଷ ନିର୍ବାଚନବେଳେ ମତଦାନ କରିବାକୁ ଅକ୍ଷମ ବୋଲି ଦର୍ଶାଇଥିଲେ। ତେଣୁ ସେମାନଙ୍କ ଭୋଟ୍‌କୁ ସହଯୋଗୀଙ୍କ ମାଧ୍ୟମରେ ସାବ୍ୟସ୍ତ କରିବାକୁ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହି ଲେଖାକୁ ଗ୍ରହଣ କରି ନିର୍ବାଚନ ଅଧିକାରୀ ପରିଡ଼ା ସହଯୋଗୀଙ୍କ ସହାୟତା ନ ନେଇ ୬ଟି ଯାକ ଭୋଟ ନିଜେ ଦେଇଥିଲେ ବୋଲି ଜ୍ୟୋତିର୍ମୟୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Share