Categories: ଜାତୀୟ

ଜାମିନ ପାଇଁ ହାଇକୋର୍ଟ ଗଲେ ବାର୍‌ବରା ରାଓ

ମୁମ୍ବାଇ,୧୪ା୭: ଏଲ୍‌ଗାର ପରିଷଦ ମାମଲାରେ ଟାଲୋଜା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଥିବା କବି ତଥା ସାମାଜିକ କର୍ମୀ ବାର୍‌ବରା ରାଓ ଅନ୍ତରୀଣ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ୍‌ ଯାଇଛନ୍ତି। ଜାମିନ ଆବେଦନ ସମେତ ମାମଲାର ତୁରନ୍ତ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ସେ ଜେ.ଜେ. ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତରବରିଆ ଭାବେ ତାଙ୍କୁ ଜୁନ୍‌ ୨ରେ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ବାର୍‌ବରା ଅଭିଯୋଗ କରିବା ସହ ମେଡିକାଲ ଚିକିତ୍ସାର ସବିଶେଷ କାଗଜପତ୍ର ଦାଖଲ ଲାଗି ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଜାମିନ ଦେବାକୁ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଜୁନ୍‌ ୨୬ରେ ମନା କରିଦେଇଥିଲେ। ୧୫ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରେ। ୮୦ ବର୍ଷୀୟ ସାମାଜିକ କର୍ମୀ ଉଚ୍ଚ ରକ୍ତଚାପ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଏକ ସ୍ପେଶିଆଲାଇଜ୍‌ଡ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପିପୁଲ୍ସ ୟୁନିୟନ୍‌ ଫର ସିଭିଲ୍‌ ଲିବର୍ଟି ନାମକ ଏନ୍‌ଜିଓ ପକ୍ଷରୁ ଦାବି କରାଯାଇଛି। ମାଓବାଦୀ ଅଭିଯୋଗରେ ୨୦୧୮ ଅଗଷ୍ଟରେ ପୁଣେ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନରେ ମାମଲା ରୁଜୁ କରିଥିଲା।

Share