ମରଣଯନ୍ତା ସାଜିଛି ବାରିକପୁର-ଅସୁରାଳି ରାସ୍ତା

ବାରିକପୁର,୧।୫(ସ୍ବ.ପ୍ର.): ଭଦ୍ରକ ଜିଲା ବାରିକପୁରଠାରୁ ଅସୁରାଳି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ମରଣଯନ୍ତା ସାଜିଛି। ଜିଲାର ଦୁଇଟି ନିର୍ବାଚନମଣ୍ଡଳୀ ଭଣ୍ଡାରିପୋଖରୀ ଓ ଧାମନଗର ଅଧୀନ ୩ ବ୍ଲକ ବନ୍ତ, ଭଣ୍ଡାରିପୋଖରୀ ଓ ଧାମନଗରର ମୋଟ ୩୧ ଗ୍ରାମର ହଜାର ହଜାର ଲୋକଙ୍କର ଏହା ନିତିଦିନିଆ ରାସ୍ତା। ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଥିବା ବେଳେ କେତେକ ସ୍ଥାନରେ ପିଚୁ ଓ ମେଟାଲ ଉଠିଯାଇଛି। ଭାରିଯାନ ଚଳାଚଳ କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଆଗକୁ ବର୍ଷାଦିନ ଆସୁଥିବା ବେଳେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରହି ଆହୁରି ବିପର୍ଯ୍ୟସ୍ତ ହେବ। ମରାମତି ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ ହେଉଥିବା ନେଇ ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦାସ, ପୂର୍ବତନ ସମିତିସଭ୍ୟ ବାସୁଦେବ ଜେନା, ସ୍ଥାନୀୟ ବୁଦ୍ଧିଜୀବୀ ଜଗବନ୍ଧୁ ରାଉତ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ ନାୟକଙ୍କୁ ପଚାରିବାରୁ ଉକ୍ତ ରାସ୍ତା କାମ ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି ଏବଂ ଆଗାମୀ ମାସକ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।