ଭୁବନେଶ୍ୱର,୪।୫: ଟିକେଟ୍ ଆଶାରେ ଦୁଇମାସ ତଳେ ଭାଜପାରେ ଯୋଗ ଦେଇଥିବା ବରିର ପୂର୍ବତନ ବିଧାୟକ ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୋଟ୍ ଦୁଆର ମୁହଁରେ ପହଞ୍ଚିଥିବା ବେଳେ କେଉଁ ଦୁଆରେ ଦେବାଶିଷ ଛିଡା ହୋଇ ନିଜ ରାଜନୈତିକ ସ୍ବାର୍ଥ ହାସଲ କରିବେ ସେନେଇ ନିଷ୍ପତି ନେଇ ପାରୁନାହାଁନ୍ତି। ଦେବାଶିଷ ପୂର୍ବରୁ ବିଜେଡିରେ ଥିଲେ।
ଗତ ଫେବ୍ରୁଆରି ୨୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ ଦେବାଶିଷ ନାୟକ। ବରୀ ବିଧାନସଭା ଆସନରୁ ଭାଜପା ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ ନାୟକ। ଟିକେଟ ମିଳିନଥିବାରୁ ସେ ଭାଜପା ଛାଡ଼ି ଏବେ ହାତ ଧରିଛନ୍ତି।
ଦେବାଶିଷ ନାୟକ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବରୀରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା। ଚଳିତ ଥର ଟିକେଟ ପାଇବାର ସମ୍ଭାବନା ନଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ।