Categories: ଜାତୀୟ

ଡିଜିଟାଲ ଇଣ୍ଡିଆ ବାଟରେ ବାଧା :୧୨ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ବ୍ୟବହାର କରି ନାହାନ୍ତି ଇଣ୍ଟରନେଟ

ନୂଆଦିଲ୍ଲୀ,୧୫।୧୨: ସରକାର ଡିଜିଟାଲୀକରଣ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏନେଇ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ଇଣ୍ଟରନେଟ୍‌ ବ୍ୟବହାର କରି ନ ଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ଯୋଗୁ ଡିଜିଟାଲ ଇଣ୍ଡିଆ ବାଟରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା। ଦାଦର ନାଗର ହବେଲୀ, ଡାମନ ଡିୟୁ ଏବଂ ଆଣ୍ଡାମାନ ନିକୋବର ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ର, ମେଘାଳୟ, ତେଲଙ୍ଗାନା, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ୪୦ ପ୍ରତିଶତରୁ କମ୍‌ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଏଥିରେ ଦର୍ଶାଯାଇଛି। ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ ପ୍ରତିଶତ ପାଖାପାଖି ପୁରୁଷ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ଆନ୍ଧ୍ରପ୍ରଦେଶ, ବିହାର ତେଲଙ୍ଗାନାରେ ମହିଳା ସାକ୍ଷରତା ହାର କମ୍‌ ଥିବାବେଳେ କେରଳ, ଲାକ୍ଷାଦୀପ୍‌ ଏବଂ ମିଜୋରାମ୍‌ ଏହା ସର୍ବାଧିକ ରହିଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ୧୭ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

Share