ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାର୍ଯ୍ୟ ହେତୁ ଏହି ଡ୍ରେନର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ବର୍ଷାଦିନେ ଡ୍ରେନ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି। ଡ୍ରେନ କାମ ଯୋଗୁ ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନରେ ବାଧା ଉପୁଜିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କ ଏଭଳି ଉଦାସୀନତା ଓ ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ସ୍ଥାନୀୟ ଚାଷୀ ଉଦ୍‌ବେଗ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।
ମହନଦୀ ଓ ଶୁକ ପାଇକା ନଦୀକୂଳରେ ଉତ୍ତରକୂଳ ପଞ୍ଚାୟତ ଅବସ୍ଥିତ। ଉତ୍ତରକୂଳ ପଞ୍ଚାୟତର ମୁଗୁରିଆ ପାଟନାଳୀରୁ ଜଳ ନିଷ୍କାସନ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ ହୋଇଥିଲେ। ଏହି ନିଷ୍କାସନ ଡ୍ରେନ ମୁଗୁରିଆ ପାଟନାଳୀରୁ ଶୁକ ପାଇକା ନଦୀକୁ ସଂଯୋଗ ହେବ। ମାତ୍ର ବର୍ଷା ଋତୁରେ ସମ୍ପୃକ୍ତ ଠିକାଦାର ବେପରୁଆ ଭାବେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଏହି ଜଳ ନିଷ୍କାସନ ଡ୍ରେନ ନିର୍ମାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି କି ଅଟକଳ ଅନୁଯାୟୀ, ଏହି ନିର୍ମାଣ କାମ କରାଯାଉ ନାହିଁ। ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଡ୍ରେନେଜ ବିଭାଗର କୌଣସି ଅଧିକାରୀ କାମର ତଦାରଖ କରୁ ନ ଥିବା କାରଣରୁ ଠିକାଦାର ମନମୁଖି ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ସେହିପରି ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ କୌଣସି ସୂଚନାଫଳକ ଲଗାଯାଇନାହିଁ। ଫଳରେ ଲୋକମାନଙ୍କୁ ଅନ୍ଧାରଘେରରେ ରଖାଯାଇ କାମ କରାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା କହିଛନ୍ତି। ଏ ସମ୍ପର୍କରେ କଟକ ଡ୍ରେନେଜ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ନନ୍ଦଙ୍କୁ ପଚାରିବାରେ ମୋ ପାଖରେ ଏ ନେଇ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।