ସାମ୍ନାକୁ ଆସିଲେ ବର୍ଷା, ଆସୁ ଆସୁ କହିଦେଲେ ଏମିତି..

ଭୁବନେଶ୍ୱର,୨।୧୦: ବଢିଲାଣି ବିଜେଡି କଳି। ଏହି କଳି ଏବେ ଶଙ୍ଖ ଭବନରେ ପହଞ୍ଚିଛି। କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇ ଏବେ ଏହି କଳି ନେତାଙ୍କ ପାଖରେ ପହଞ୍ଚିଛି। ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲା ବିଜେଡି ବୈଠକବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟିକୁ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ଶ୍ରୀମୟୀ। ସେ କହିଛନ୍ତି, ଯୁଗେଯୁଗେ ଲେଖା ଅଛି ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତାହା ଆମ ଦଳର ସମୀକ୍ଷା ବୈଠକ ଥିଲା । ସମୀକ୍ଷା ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀମାନେ ଥିଲେ ସେମାନେ ତାର ତର୍ଜମା ବିଶ୍ଲେଷଣ କରିବେ । ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ’ ।

ସେପଟେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ପଦଯାତ୍ରା କରାଯାଉଥିବାବେଳେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ଯାଜପୁରର ବଡ଼ଚଣାରେ ବିଜେଡିର କନ୍ଦଳ ପଦାରେ ପଡିଛି। ବିଜେଡି ନେତା ଅମର ଶତପଥୀ ଓ ବର୍ଷା ପ୍ରିୟଦର୍ଶିନୀ ଦୁଇଟି ପୃଥକ ପୃଥକ ଯାତ୍ରା କରିଛନ୍ତି। ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ବଇରୀ ଠାରେ ନିଜର ସମର୍ଥକଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ବିଜେଡି ନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବଇରୀରେ ପହଞ୍ଚି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅମର କହିଛନ୍ତି, ଆଜିଭଳି ଦିନରେ ସମସ୍ତେ ଏକାଠି ହୋଇଥିବାରୁ ଖୁସି ଲାଗୁଛି। ଆମେ ଗାନ୍ଧୀଙ୍କୁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସଂ ଉତ୍କଳମଣିଙ୍କ ଗୋପୁବନ୍ଧୁ ଦାସଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛୁ। ସମସ୍ତେ ମିଶି ଗାନ୍ଧୀ ବିଚାରରେ ଅନୁପ୍ରାଣିତ ହୋଇ ଗାନ୍ଧୀ ଆଦର୍ଶକୁ ଆଗେଇନେବା। ସେହିପରି ବର୍ଷା କହିଛନ୍ତି, ଆଜି ଜନସମ୍ପର୍କ ପଦଯାତ୍ରା ବିଜେଡି ତରଫରୁ ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଯେଉଁ ସୁଶାସନ ଥିଲା ତାକୁ ଲୋକଙ୍କ ପାଖରେ ଆଉଥରେ ମନ ପକାଇଦେବା।

ସୂଚନାଥାଉ କି, ବିଜେଡିର ଆଜି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ର୍ନିବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।

ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ ବିଏସକଓ୍ବୋଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି। ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ। ମା’ ମାନଙ୍କୁ ୫୦ ହଜାର ଦେବେ କହିଥିଲେ, କେତେ ଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଏ ସରକାର ଉପରେ ଲୋକଙ୍କ ଭରସା ନାହିଁ, ଲୋକ ମିଛ ଜାଣିଲେଣି। ମିଛ କହି ର୍ନିବାଚନ ଜିତିପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି। ଭାଜପା ଠାରୁ ବିଜେଡି ଅଧିକ ଭୋଟ ପାଇଛି, ଆମେ ଲୋକଙ୍କ ହୃଦୟରେ ଅଛୁ। ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ମୁଁ କ୍ଷମତାରେ ଥାଏ ବା ନଥାଏ, ଲୋକ ସେବା ଜାରି ରହିବ ବୋଲି ନବୀନ କହିଛନ୍ତି।