ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ଭୁବନେଶ୍ୱର ଫେରିଛନ୍ତି। ସ୍ବାମୀ ସ୍ମୃତିସୌରଭଙ୍କ ସହ ସେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶ୍ୱଶୁରଘରକୁ ଯାଇଛନ୍ତି। ଘରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ ଓ ଶାଶୁଙ୍କୁ ପ୍ରଣାମକରି ଆଶୀର୍ବାଦ ନେଇଛନ୍ତି।
ଶ୍ୱଶୁରଘରେ ପହଞ୍ଚିବା ପରେ ଗଣମାଧ୍ୟମକୁ ବର୍ଷା କହିଛନ୍ତି, ବିଜୟ ପରେ ବହୁତ ଖୁସି ଲାଗୁଛି। ମୋ ଶ୍ୱଶୁର ଓ ପରିବାର ତରଫରୁ ବହୁ ସମର୍ଥନ ମିଳିଛି। ପଦ୍ମପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛି। ତେଣୁ ପଦ୍ମପୁର ହେଉଛି ମୋର କର୍ମଭୂମି। ସେହି ଅଞ୍ଚଳର ବିକାଶ ହେଉଛି ତାଙ୍କର ପ୍ରାଥମିକତା ବୋଲି ବର୍ଷା କହିଛନ୍ତି।
ବୋହୂଙ୍କ ବିଜୟ ନେଇ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ କହିଛନ୍ତି, ଗଣତନ୍ତ୍ରରେ ଲୋକମତ ହେଉଛି ସର୍ବାଗ୍ରେ। ଲୋକମାନେ ଯେଉଁ ମତ ଦେଇଛନ୍ତି, ତାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିବ। ସେହି ହିସାବରେ ପଦ୍ମପୁରବାସୀ ଯେଉଁ ମତ ଦେଇଛନ୍ତି, ସମସ୍ତଙ୍କର ଗ୍ରହଣୀୟ। ଏହା ଲୋକମତର ବିଜୟ ହୋଇଛି ବୋଲି ରମାରଞ୍ଜନ କହିଛନ୍ତି।