ବର୍ଷାଙ୍କ ସାକ୍ଷ୍ୟଗ୍ରହଣ, ଓଡ଼ିଆରେ ଉତ୍ତର ଦେଲେ

କଟକ ଅଫିସ, ୨୧ା୧୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ମଙ୍ଗଳବାର ପରିବାର ଅଦାଲତରେ ହୋଇଛି। ବର୍ଷା ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେଇଛନ୍ତି। ତେବେ ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିଛି।
ପ୍ରକାଶ ଯେ, ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ନିମନ୍ତେ ଡିସେମ୍ବର ୧୯କୁ ଦିନ ଧାର୍ଯ୍ୟ ହୋଇଥିଲା। ତଦନୁଯାୟୀ ବର୍ଷା ଅଦାଲତରେ ହାଜର ହୋଇଥିଲେ। ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଇଂଲିଶ ଭାଷାରେ ପ୍ରଶ୍ନ ପଚାରିଥିବାବେଳେ ବର୍ଷା ଓଡ଼ିଆରେ ଉତ୍ତର ଦେଇଥିଲେ। ତେବେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ନେଇ ତାଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପ୍ରତିପକ୍ଷ ଓକିଲ ପଚାରିପାରିବେ ନାହିଁ ବୋଲି କୋର୍ଟଙ୍କୁ ସେ ଅବଗତ କରିଥିଲେ। ସେହିପରି ଅନୁଭବଙ୍କ ଓକିଲ ପଚାରିଥିବା କେତେକ ପ୍ରଶ୍ନ ଉପରେ ବର୍ଷା ଆପତ୍ତି ଉଠାଇଥିଲେ। ଯାହାଦ୍ୱାରା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିଥିଲା। ମଙ୍ଗଳବାର ବର୍ଷା ଅଦାଲତରେ ହାଜର ହେବା ପରେ ସେ ଓଡ଼ିଆରେ ସମସ୍ତ ଉତ୍ତର ଦେବେ ବୋଲି ଅଦାଲତଙ୍କୁ ଜଣାଇଥିଲେ। ଅଦାଲତ ଏଥିରେ ରାଜି ହେବା ପରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଥିଲା।

Share