ସ୍କୁଲ କାର୍ଯ୍ୟକ୍ଷମ ନହେଲେ ଅନଶନ

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ବସେଇକେଲା ପ୍ରାଥମିକ ସ୍କୁଲକୁ ସରକାରୀଭାବେ ବନ୍ଦ କରାଯାଇ ନିକଟସ୍ଥ ନନ୍ଦିନୀପୁର ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଏହାକୁ ନେଇ ବସେଇକେଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବଭଳି ବସେଇକେଲା ପ୍ରାଥମିକ ସ୍କୁଲକୁ କାର୍ଯ୍ୟକ୍ଷମ ତଥା ସରକାରୀଭାବେ ଖୋଲା ରକିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା କରା ନଗଲେ ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି। ସୋମବାର ଗ୍ରାମବାସୀ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବସେଇକେଲା ପ୍ରାଥମିକ ସ୍କୁଲରେ ୩୭ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ଅନ୍ୟ ସ୍କୁଲ ସହିତ ଉକ୍ତ ସ୍କୁଲକୁ ସ୍ଥାନାନ୍ତରଣ କରାଯାଇଛି । ହେଲେ ଛାତ୍ରୀଛାତ୍ର ସେହି ସ୍କୁଲକୁ ନ ଯାଇ ବସେଇକେଲା ପ୍ରାଥମିକ ସ୍କୁଲରେ ପାଠ ପଢୁଛନ୍ତି । ଗ୍ରାମବାସୀ ନିଜ ଉଦ୍ୟମରେ ଛାତ୍ରୀଛାତ୍ରଙ୍କୁ ନିଜ ଉଦ୍ୟମରେ ମଧ୍ୟାହ୍ନଭୋଜନ ଦେଉଛନ୍ତି। ଏ ନେଇ ଗତ ଜୁଲାଇ ମାସ ୨୫ତାରିଖ ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳଙ୍କୁ ଫେରାଦ ହୋଇ ସ୍କୁଲ ସ୍ଥାନାନ୍ତରଣ କରା ନ ଯାଇ ପୂର୍ବଭଳି ଖୋଲା ରଖିବାକୁ ନିବେଦନ କରିଥିଲେ। ମାତ୍ର କିଛି ପଦକ୍ଷେପ ନିଆଯାଇ ନଥିବା ଯୋଗୁ ଅଭିଭାବକମାନେ ପୁଣି ଜିଲାପାଳ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇ ଅନଶନ ଚେତାବନୀ ଦେଇଛନ୍ତି। ସିଦ୍ଧେଶ୍ୱର ପାଣିଗ୍ରାହୀ, ମୀନକେତନ ମେସୁଆ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳ ଅଫିସକୁ ଆସିଥିଲେ।