Categories: ଖେଳ

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର। ତାଙ୍କ ନାମ ହେଉଛି ବଶିଷ୍ଠ। ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଥିଲା ବେଳେ ସେ ବଡ଼ ଉତ୍ସାହିତ ହୋଇପଡ଼ିଛନ୍ତି। ୨୬ ବର୍ଷ ହେଲା ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିବା ବଶିଷ୍ଠ ଜଣେ ଖେଳକୁ ଭଲ ପାଉଥିବା ମଣିଷ। ସେ ଫୁଟବଲ,ଟେନିସ ଓ କ୍ରିକେଟ ଉପରେ କବିତା ଲେଖିବା ସାଙ୍ଗକୁ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ସଂଗ୍ରହାଳୟ ତାଙ୍କ କଲେଜରେ ସ୍ଥାପନ କରିଛନ୍ତି। ସଚିନଙ୍କ ଉପରେ ବିଭିନ୍ନ ଭାଷାରେ ଲେଖାଯାଇଥିବା ଲେଖା ସେ ସାଇତି ରଖିଛନ୍ତି। ଓଡ଼ିଆ ଲେଖା ମଧ୍ୟ ସେଥିରେ ଅଛି। ଏଥର ହକି ବିଶ୍ୱକପ୍‌ ସକାଶେ ବଶିଷ୍ଠ ଏକ ସ୍ବତନ୍ତ୍ର କ୍ୟାଲେଣ୍ଡର ତିଆରି କରି ତାକୁ ରିଲିଜ କରିଛନ୍ତି। ବାରମାସର ପୃଷ୍ଠାରେ ହକି ବିଶ୍ୱକପ୍‌ ବାବଦରେ ତଥ୍ୟ ସାଙ୍ଗକୁ ସ୍ମରଣୀୟ ଫଟୋ ମଧ୍ୟ ସ୍ଥାନିତ ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପ୍‌ ଟ୍ରଫି ସହ ଫଟୋ ସାଙ୍ଗକୁ ୧୯୭୫ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଫଟୋ ମଧ୍ୟ ସେ ଏହି ସ୍ବତନ୍ତ୍ର କ୍ୟାଲେଣ୍ଡରରେ ସ୍ଥାନିତ କରିଛନ୍ତି। ସେ ୨୦୧୮ ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଭୁବନେଶ୍ୱର ଆସିଥିଲେ। ଏଥର ମଧ୍ୟ ସେ ଫାଇନାଲ ଦିନ କଳିଙ୍ଗ ଷ୍ଟାଡ଼ିୟମରେ ବସି ମ୍ୟାଚ୍‌ ଦେଖିବା ଲାଗି ଟିକେଟ କିଣି ସାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Share