Categories: ଜାତୀୟ

ଗୋଟିଏ ବେଦିରେ ଦୁଇ କନ୍ୟାଙ୍କୁ ବିବାହ କଲା ବର, ଖୁସିରେ ଅଛନ୍ତି ଉଭୟ ପତ୍ନୀ

ବିଳାଶପୁର,୭।୧- ପ୍ରେମରେ ପଡ଼ି ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଦୁଇ ଜଣଙ୍କୁ ପ୍ରେମ ଓ ଗୋଟିଏ ବେଦିରେ ଏକାଥରେ ବିବାହ କରିବା ନିଶ୍ଚିତ ଅବିଶ୍ୱସନୀୟ। ଏଭଳି ଏକ ଘଟଣାର ଭିଡିଓ ଗତ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣାଟି ଛତିଶଗଡ଼ର ବାସ୍ତର ଜିଲାରେ ଘଟିଛି। ଦୁଇ ପ୍ରେମିକାଙ୍କୁ ଗାଁର ୫୦୦ ଅତିଥିଙ୍କ ସାମ୍ନାରେ ବିବାହ କରିଥିଲେ ଚନ୍ଦୁ ମୌର୍ଯ୍ୟ।

ଏହା ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ଚନ୍ଦୁଙ୍କ ପ୍ରେମ କାହାଣୀ। ମାଓବାଦୀ ପ୍ରବଣ ବାସ୍ତର ଜିଲାର ତିକ୍ରାଲୋହଙ୍ଗା ଗ୍ରାମରେ କୃଷକ ଓ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨୪ ବର୍ଷୀୟ ଚନ୍ଦୁ ୨୧ ବର୍ଷୀୟା ଆଦିବାସି ଯୁବତି ସୁନ୍ଦରୀ କଶ୍ୟପଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦିନେ ବିବାହ କରିବାକୁ ନିଷ୍ପତ୍ତି ନେଲେ ଦୁହେଁ। ଏହାର ବର୍ଷକ ପରେ ଏକ ବିବାହ ଉତ୍ସବରେ ହସିନା ବାଘେଲଙ୍କୁ ଭେଟିଥିଲେ ଚନ୍ଦୁ। ହସିନା ପ୍ରେମ ନିବେଦନ କରିବା ପରେ ଚନ୍ଦୁ ନିଜ ରିଲେଶନଶିପ୍‌ ବିଷୟରେ କହିଥିଲେ। ଏଥିରେ କୌଣସି ଆପତ୍ତି ଉଠାଇ ନ ଥିଲେ ହସିନା।

ହସିନା ଓ ସୁନ୍ଦରୀ ପରସ୍ପର ସମ୍ପର୍କରେ ଜାଣିବା ପରେ ଦୁହେଁ ମୋ ସହ ରିଲେଶନଶିପ୍‌ରେ ରହିବାକୁ ରାଜି ହୋଇଥିଲେ। ଦିନେ ହସିନା ମୋ ସହ ରହିବା ପାଇଁ ଘରକୁ ଚାଲିଆସିଥିଲେ। ଖବର ପାଇବା ପରେ ମୋ ପାଖକୁ ଆସିଥିଲା ସୁନ୍ଦରୀ। ସେବେଠାରୁ ଆମେ ଏକ ପରିବାର ଭଳି ରହୁଛୁ ବୋଲି ପରିବାର ସହ ରହୁଥିବା ଚନ୍ଦୁ କହିଛନ୍ତି। କିଛି ମାସ ପରେ ସେମାନଙ୍କ ଲିଭ୍‌-ଇନ୍‌ ରିଲେଶନ ଉପରେ ପ୍ରଶ୍ନ ଉଠାଇଥିଲେ ଗ୍ରାମବାସୀ ଓ ପରିବାର ସଦସ୍ୟ। ଏହାପରେ ଚନ୍ଦୁ ନିଷ୍ପତ୍ତି ନେଲେ ଉଭୟଙ୍କୁ ବିବାହ କରିବେ। ଦୁହେଁ ମୋତେ ବିବାହ କରିବାକୁ ରାଜି ହୋଇଗଲେ। ବିବାହ ଉତ୍ସବରେ ହସିନାଙ୍କ ପରିବାର ଲୋକେ ଯୋଗ ଦେଇଥିଲେ। ମାତ୍ର ସୁନ୍ଦରୀଙ୍କ ପରିବାରରୁ କେହି ଆସିଲେ ନାହିଁ। ଆମେ ଦୁହେଁ ଚନ୍ଦୁ ଓ ତାଙ୍କ ପରିବାର ସହ ଖୁସିରେ ଅଛୁ ବୋଲି ସନ୍ଦରୀ କହିଛନ୍ତି।

 

Share