ଦୁର୍ଗମ ଅଞ୍ଚଳ ଖଞ୍ଜାମେରାରେ ବସୁଧା ଯୋଜନା ଫେଲ୍‌

ଆର୍‌.ଉଦୟଗିରି,୧୧।୧୨(ମନୋଜ କୁମାର ପାଢୀ): ଦୁର୍ଗମ ଅଞ୍ଚଳରେ ଫେଲ୍‌ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଚାତକ ପରି ଚାହିଁ ବସିଥିଲେ ପାହାଡିଆ ଦୁର୍ଗମ ଅଞ୍ଚଳ ଆଦିବାସୀ। ଶେଷରେ ଗାଁ ମୁଣ୍ଡରେ ବସୁଧା ଯୋଜନାର ପାଣିଟାଙ୍କି ଶୁଭାରମ୍ଭ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତଙ୍କ ମନରେ ଖୁସିର ଲହରି ଖେଳିଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ସରି ପାଇପ ସଂଯୋଗ ହେଲା ପରେ ପାଣି ଟ୍ୟାପ ଲଗାହେଲା। ତାହା ବି ତରବରିଆ ଭାବରେ ସଂଯୋଗ ହେଲା। ହେଲେ ତାହା ଆରମ୍ଭ ହେବା ଦିନଠାରୁ ହିଁ ବନ୍ଦ ପଡିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ନଳକୂପ ଅଛି ସତ ମାତ୍ର ତାହା କାମ ଦେଉନାହିଁ। ଦୀର୍ଘ ସମୟ ପରେ ସେଥିରୁ ଗୋଳିଆ ପାଣି ବାହାରୁଛି। ତାହା ପିଇବା ପାଇଁ ଯୋଗ୍ୟ ନୁହେଁ। ଏହା ଦେଖିବାକୁ ମିଳିଛି ଆର.ଉଦୟଗିରି ବ୍ଲକ ଦୁର୍ଗମ ପଞ୍ଚାୟତର ଖଞ୍ଜାମେରାରେ। ଏ ନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ, ପିଇଓଠାରୁ ଆରମ୍ଭ କରି ବ୍ଲକର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁର୍ଗମ ଅଞ୍ଚଳର ଆଦିବାସୀ ଓ ଗୃହପାଳିତ ପ୍ରାଣୀ ଏକ ଛୋଟ ଝରଣାର ପାଣିକୁ ଭରସା କରିଛନ୍ତି। ଏହି ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗ୍ରାମବାସୀ ପାଣି ଟୋପେ ପାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଖଞ୍ଜାମେରା ଦୁର୍ଗମ ଅଞ୍ଚଳରେ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ଦାବି ହୋଇଛି।

Share