ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଅହିଂସା। ଅତି ପ୍ରାଚୀନ କାଳରୁ ପୃଥିବୀର ବିଭିନ୍ନ ସଭ୍ୟତା ଅହିଂସା ସମ୍ପର୍କରେ ଭଲଭାବେ ଅବଗତ ହୋଇଥିଲେ। ଅହିଂସା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଦୀର୍ଘସ୍ଥାୟୀ ବୋଲି ମଧ୍ୟ ମାନବ ସମାଜକୁ ଭଲ ଭାବେ ଜଣାଥିଲା। ଶାନ୍ତି ପ୍ରେମ ଦ୍ୱାରା ହୃଦୟକୁ ଜୟ କରି ହୋଇଥିବା ବିଜୟ ହିଁ ପ୍ରକୃତ ମାନବିକତାକୁ ପ୍ରତିପାଦିତ କରିପାରିଥାଏ। ରୋମ୍ରେ ପ୍ରେମ ଅହିଂସା ମଧ୍ୟରେ ଶାନ୍ତି ସ୍ଥାପନାର ବାର୍ତ୍ତା ନେଇ ତୃତୀୟ ଶତାବ୍ଦୀରେ ସେଣ୍ଟ୍ ଭାଲେଣ୍ଟାଇନ୍ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପୃଥିବୀରେ ପ୍ରସାରିତ ହୋଇଥିଲା। ସେହିପରି ବୁଦ୍ଧଦେବଙ୍କର ଅହିଂସା ବାଣୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରାଇ ପାରିଥିଲା। ଏଥିରୁ ସ୍ବତଃ ପ୍ରତିପାଦିତ ହୋଇଥାଏ ଯେ, ବସୁଧୈବ କୁଟୁମ୍ବକମ୍ ଲକ୍ଷ୍ୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ଭବ। ଫଳରେ ସାରା ପୃଥିବୀରେ ପରଶ୍ରୀକାତରତା, ମତଭେଦ, ଯୁଦ୍ଧ, ଆତଙ୍କବାଦ ଦୂର ହୋଇ ଗୋଟିଏ ବୃହତ୍ ପରିବାର ଗଠନର ପରିକଳ୍ପନା ବାସ୍ତବ ରୂପ ନେଇପାରିବ। ଏହାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୮୧ରେ ଶାନ୍ତି ଓ ଅହିଂସା ଦିବସ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାର ଦୁଇ ଦଶନ୍ଧି ପରେ, ୨୦୦୧ରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୧କୁ ଶାନ୍ତି ଓ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ସେବେଠାରୁ ପ୍ରତି ବର୍ଷ ଏହି ଦିନ ଶାନ୍ତି ଏବଂ ଅହିଂସା ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି; ଯାହାଦ୍ୱାରା ପୃଥିବୀ ଯୁଦ୍ଧଠାରୁ ଦୂରେଇ ଆସିବ ଏବଂ ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ।