
ପୁରୁଷୋତ୍ତମପୁର,୨୭ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ଗୁରୁବାର ହଜାର ହଜାର ସଂଖ୍ୟାରେ ଭକ୍ତ ବୁଡ଼ ପକାଇବାରେ ଲାଗିଛନ୍ତି। ଏହା ସହ ପିତୃପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ ବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବୁଡ଼ ପକାଇବା ଲାଗି ବୁଧବାର ସନ୍ଧ୍ୟାରୁ ଭକ୍ତଙ୍କ ଭିଡ଼ ଜମିଥିଲା। ସମଗ୍ର ପ୍ରତାପୁର ଗ୍ରାମ ଓ ଋଷିକୁଲ୍ୟା ନଦୀ ଲୋକାରଣ୍ୟ ହୋଇପଡ଼ିଛି। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୁଡ଼ ପକାଇଲେ ଓ ମୃତ ବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଣ୍ୟ ଅର୍ଜନ ହୁଏ ଏବଂ ମୃତ ବ୍ୟକ୍ତିଙ୍କ ସ୍ବର୍ଗପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ବାସକୁ ନେଇ ଦୀର୍ଘବର୍ଷହେଲା ଚୈତ୍ରମାସର ତ୍ରୟୋଦଶି ତିଥିରେ ବାରୁଣୀସ୍ନାନ ହୋଇ ଆସୁଛି। ଭକ୍ତଙ୍କ ସୁବିଧା ଲାଗି ତୁମ୍ବେଶ୍ବର ମନ୍ଦିର ପ୍ରଶାସନ ଓ ପ୍ରତାପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଓ ଆଇଆଇସି ରାଜେଶ କୁମାର ନାୟକଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଆଇନଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି।