ଠିକ୍‌ ସମୟରେ ମିଳୁନି ବ୍ୟାଟେରି ଗାଡ଼ି

କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଠିକ୍‌ ସମୟରେ ବ୍ୟାଟେରି ଗାଡିର ସୁବିଧା ମିଳୁନାହିଁ। ଫଳରେ ରୋଗୀମାନେ ଗୋଟିଏ ୱାର୍ଡରୁ ଅନ୍ୟତ୍ର ଯିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସେମାନେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ରୋଗୀ ସେବା ପାଇଁ ନାଲ୍‌କୋ କମ୍ପାନୀ ପକ୍ଷରୁ ୧୫ ବର୍ଷ ତଳେ ୮ଟି ବ୍ୟାଟେରି ଗାଡ଼ି ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ୫ଟି ଷ୍ଟ୍ରେଚର ବ୍ୟାଟେରି ଗାଡ଼ିରେ ଜଣେ ଡ୍ରାଇଭର ସହ ୨ ଜଣ ଆଟେଣ୍ଡାଣ୍ଟ, ୨ଟି ସିଟିଂ ବ୍ୟାଟେରି ଗାଡ଼ିରେ ଜଣେ ଡ୍ରାଇଭର ଓ ଜଣେ ଆଟେଣ୍ଡାଣ୍ଟ, ଗୋଟିଏ ମେଡିସିନ ସପ୍ଲାଏ ବ୍ୟାଟେରି ଗାଡ଼ିରେ ଜଣେ ଡ୍ରାଇଭର ସହ ଦୁଇଜଣ ଆଟେଣ୍ଡାଣ୍ଟ କାର୍ଯ୍ୟରତ ରହିଛନ୍ତି। ଉଇ କେୟାର ନାମକ ଏକ ଘରୋଇ ସଂସ୍ଥା ଏହାର ସମସ୍ତ କାମ କରୁଛି। ତେବେ ୮ଟି ଗାଡ଼ି ମେଡିକାଲ ପାଇଁ ଯଥେଷ୍ଟ ନ ଥିବାବେଳେ ଉକ୍ତ କମ୍ପାନୀ ପକ୍ଷରୁ ଆଉ ୪ଟି ଗାଡ଼ି ଜାନୁଆରୀ ପ୍ରଥମ ସପ୍ତାହରେ ଯୋଗାଇ ଦିଆଯାଇଛି। ତଥାପି ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏସ୍‌ସିବି ମେଡିକାଲକୁ ଆସିଥିବା ଅନୁଗୋଳ ଅଞ୍ଚଳର ପ୍ରଦୀପ ବେହେରା କହିଛନ୍ତି, ମୋ ସମ୍ପର୍କୀୟ ୮ ଦିନ ହେବ ମେଡିକାଲର କାଜୁଆଲ୍‌ଟିରେ ଭର୍ତ୍ତି ହୋଇଛନ୍ତି। ପ୍ରତିଦିନ ଡାକ୍ତର ଦେଖାଇବା ସହ ପରୀକ୍ଷା ପାଇଁ ବିଭିନ୍ନ ବିଭାଗକୁ ଯିବାକୁ ପଡୁଛି। ଏଥିପାଇଁ ବ୍ୟାଟେରି ଗାଡିକୁ ଯୋଗାଯୋଗ କଲେ ୧ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଛି। ଆସିବା ଦିନଠାରୁ ଏଭଳି ଅସୁବିଧା ଭୋଗିବାକୁ ପଡୁଛି। ହେଲେ ଏ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ସେ କହିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଅଞ୍ଚଳର ରୀନା ପାତ୍ର କହିଛନ୍ତି, ଶାଶୁଙ୍କ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ ଆସିଛି। ହେଲେ ଏଠାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ବ୍ୟାଟେରି ଗାଡି ପାଇଁ ଦେଢ଼ ଘଣ୍ଟା ଅପେକ୍ଷା କରିବାକୁ ପଡିଛି। ଫୋନ୍‌ କଲେ ପହଞ୍ଚୁଛୁ ବୋଲି କହି କେହି ଆସି ନ ଥିଲେ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Share