ପୋଲସରା,୨୮ା୫: ଦିନ ଥିଲା ଗଞ୍ଜାମ ଜିଲା ପୋଲସରା ବ୍ଲକର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାଇ ଚଢ଼େଇର ବସା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଖୁବ୍ କମ୍ ସଂଖ୍ୟାରେ ଦେଖାଯାଉଛନ୍ତି। ଟିକି ବାଇ ଚଢ଼େଇ ବର୍ତ୍ତମାନ ବହୁ ସଂଖ୍ୟାରେ ଲୋପ ପାଇବାକୁ ବସିଲେଣି। ଗୋଟିଏ ମାଈ ଚଢ଼େଇ ବର୍ଷକୁ ଦୁଇଟି ଅଣ୍ଡା ଦେଇଥାଏ। ଏହି ଅଣ୍ଡାକୁ ଫୁଟେଇ ଶାବକ ଜନ୍ମ ପରେ ସେ ମୁକ୍ତ ଆକାଶକୁ ଛାଡ଼ି ଦେଇଥାଏ। ତାଳ ଗଛ ଓ ଖଜୁରୀ ଗଛରେ ସେ ସୁନ୍ଦର ବସା ନିର୍ମାଣ କରିଥାଏ। ବାଇ ଚଢ଼େଇ ଏକ କ୍ଷୁଦ୍ର ପକ୍ଷୀ ହେଲେ ମଧ୍ୟ ଏହାର ବସା ଅତି ଶକ୍ତିଶାଳୀ ହୋଇଥାଏ। ଅତ୍ୟଧିକ ମାତ୍ରାରେ ପବନ ବୋହିଲେ ମଧ୍ୟ ସହଜରେ ବାଇ ଚଢ଼େଇ ବସା ତଳକୁ ଖସି ନଥାଏ। ବର୍ଷା, କୁଆ ପଥର ମାଡରୁ ଅତି ସହଜରେ ଏହି କୁନି ପକ୍ଷୀ ରକ୍ଷା ପାଇଯାଇଥାଏ। ପ୍ରତି ବର୍ଷ ବାଇ ଚଢ଼େଇ ନିଜର ବସାକୁ ନୂଆ କରି ତିଆରି କରିଥାଏ। ମୌସୁମୀ ଆଗମନର କିଛିଦିନ ପୂର୍ବରୁ ସେ ବସା ବାନ୍ଧିବା ଦେଖିବାକୁ ମିଳିଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଚାଷୀ ହୋଇଥାଏ ଖୁସି। ଅର୍ଥାତ ସେ ନିଜର ଖରିଫ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତି ସହ ମୌସୁମୀ ଆସିଗଲା ବୋଲି ଭାବୁଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଭଲ ବର୍ଷା ହେବ ବୋଲି ଚାଷୀ ଭାବି ଖୁସି ହୋଇଥାଏ। ଅତୀତରେ ଚାଳ ଛପର ଘରେ ରହୁଥିବା ଲୋକ ନିଜ ଚାଳ ଛପର ଯେମିତି କରିଥାନ୍ତି ପରିବେଶ ତଥା କୃଷକମାନଙ୍କ ପାଇଁ ବାଇ ଚଢ଼େଇ ବନ୍ଧୁ ଭାବେ ଜଣାଶୁଣା। ଚାଷ ଜମିରେ ପଶି ଅନିଷ୍ଟକାରୀ ପୋକ ଯୋକ ସେ ଖାଇଥାଏ। ପ୍ରତିବର୍ଷ ସେ ଅଣ୍ଡା ଦେବା ସ୍ଥାନ ପରିବର୍ତ୍ତନ କରିଥାଏ। ବର୍ତ୍ତମାନର ଆଧୁନିକତାର ଯୁଗରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ମୋବାଇଲ ରେଡିଏସନ୍, ବ୍ୟାପକ କୋଠାବାଡ଼ି ନିର୍ମାଣ, ଯାନ ବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ଧ୍ୱଂସ କାରଣରୁ ପ୍ରକୃତିର ଅନନ୍ୟ ଅବଦାନ ବାଇ ଚଢ଼େଇ ଓ ତାର ବସା ଦେଖିବାକୁ ମିଳୁନାହିଁ। ଗ୍ରାମାଞ୍ଚଳର ଗଛ ମାନଙ୍କରେ ମନଲୋଭା ବସା କରି ରହୁଥିବା ବାଇ ଚଢ଼େଇ ତାର ସ୍ବରରେ ବେଶ ଆନନ୍ଦ ଦେଉଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଏହି ବାଇ ଚଢ଼େଇ ପକ୍ଷୀଙ୍କ ବସା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହାକୁ ନେଇ ଗାଁ ଗାଁ ବୁଲି ‘ବାଇ ଚଢ଼େଇରେ ବାଇ ଚଢ଼େଇ ମୋ ଘରକୁ ଆ, ମୋ ପିଲା ଦେଖି ଭାତ ଖାଇବ ତୁ ମୋ ଘରକୁ ଆ’ ଗୀତ ଗାଇ ନିଜକୁ ବାଇ ଚଢ଼େଇ ବସା ବେଶରେ ଲୋକଙ୍କୁ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରକୃତି ବନ୍ଧୁ ତଥା ଦେବଦୂତ ପୁରସ୍କାରପ୍ରାପ୍ତ ଏବଂ ସାମାଜିକ କର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ।