ନୂଆଦିଲ୍ଲୀ,୧୧ା୨: ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ବ୍ରିଟିଶ୍ ବ୍ରୋଡ୍କାଷ୍ଟିଂ କର୍ପୋରେଶନ୍ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରି ବିବାଦ ତୁଟିନାହିଁ। ବ୍ରିଟେନର ଏହି ଜାତୀୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ନିମନ୍ତେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଓ କୃଷକ ବୀରେନ୍ଦ୍ର କୁମାର ସିଂଙ୍କ ପକ୍ଷରୁ ଦାଖଲ ଉକ୍ତ ଆବେଦନକୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଏମ୍.ଏମ୍. ସୁନ୍ଦରେଶଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏହି ପିଟିଶନ ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ହୋଇଥିବାରୁ ଶୁଣାଣିଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।