ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବାଦୀୟ ଡକ୍ୟୁମେଣ୍ଟାରୀ ଦେଖାଇବା ପରେ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସାଧାରଣ ସମ୍ପାଦକ ଜିଏସ ବାବୁ କହିଛନ୍ତି, ଆମେ ଏହା ବିଷୟରେ ନିଷ୍ପତ୍ତି ନେଇସାରିଛୁ। ପ୍ରଥମେ କେପିସିସି ମୁଖ୍ୟାଳୟରେ ପାର୍ଟି କର୍ମଚାରୀଙ୍କ ପାଇଁ ଡକ୍ୟୁମେଣ୍ଟାରୀ ସ୍କ୍ରିନ କରାଯାଇଥିଲା। ଏହା ପରେ ଗୁରୁବାର ଏହା ଏକ ସମୁଦ୍ର କୂଳରେ ସାଧାରଣ ଲୋକଙ୍କ ପାଇଁ ସ୍କ୍ରିନ କରାଯାଇଥିଲା।
କଂଗ୍ରେସ ନେତା ଜିଏସ ବାବୁ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତ: ମୋଦି କ୍ୱେଶ୍ଚିନ’ର ସ୍କ୍ରିନିଂ ପାଇଁ ଆମେ ସାଧାରଣ ଜନତାଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଛୁ। ଅନେକ ଲୋକ ଏହାକୁ ଦେଖିବାକୁ ଆସିଥିଲେ। ବର୍ତ୍ତମାନ ଆମେ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଇବୁ।
ବିବିସି ଡକ୍ୟୁମେଣ୍ଟାରୀ ଦାବି କରିଛି, ଏହା ୨୦୦୨ ଗୁଜରାଟ ଦଙ୍ଗା ସହ ଜଡିତ କିଛି ଦିଗର ଅନୁସନ୍ଧାନ ଉପରେ ଆଧାରିତ। ୨୦୦୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।