ରୁଷିଆରେ ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

ଲଣ୍ଡନ,୫।୩ : ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ(ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି। ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ କଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ବୋଲି ଆଇନରେ ଉଲ୍ଲେଖ ରହିଛି। ଏହି ନୂଆ ଆଇନ ଆଣିବା ପରେ ବିବିସି ପକ୍ଷରୁ ରୁଷିଆରେ କାର୍ଯ୍ୟ କରୁଥିବା ଖବରଦାତାମାନଙ୍କ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖିଛି। ଏହା ବ୍ୟତୀତ ଅନ୍ୟ ଉପାୟ ନ ଥିଲା ବୋଲି ବିବିସି ପକ୍ଷରୁ କୁହାଯାଇଛି। ରୁଷିଆ ଆଣିଥିବା ଆଇନ ସ୍ବାଧୀନ ସାମ୍ବାଦିକତା ପ୍ରକ୍ରିୟାକୁ ଅପରାଧୀକରଣ କରିବା ଭଳି ମନେ ହେଉଛି। ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେଶନ ପାଇଁ କର୍ମଚାରୀଙ୍କ ସୁରକ୍ଷା ସର୍ବାଗ୍ରେ ବୋଲି ବିବିସି ମହାନିର୍ଦ୍ଦେଶକ ଟିମ୍‌ ଡାଭି କହିଛନ୍ତି। ରୁଷିଆ ବାହାରୁ ଖବର ସଂଗ୍ରହ ଓ ପରିବେଷଣ ଜାରି ରହିବ ବୋଲି କୁହାଯାଇଛି। ଏପରିକି ରୁଷିଆରେ ବିବିସି ଖବରଦାତାମାନଙ୍କ କାମ ବନ୍ଦ ରହିଲେ ମଧ୍ୟ ସାରା ବିଶ୍ୱର ଶ୍ରୋତାଙ୍କ ପାଇଁ ଠିକ୍‌, ନିରପେକ୍ଷ ଖବର ଉପଲବ୍ଧ କରାଇବୁ ବୋଲି ଡାଭି କହିଛନ୍ତି।

Share