ନାବାଳିକା ଗଣବଳାତ୍କାର ମାମଲା: ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ପୋଲିସ ମାମଲା ରୁଜୁ କରି ବସିପଡ଼ିଛି। ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ।

ଶେଷରେ ଗିରଫ ଭୟରେ ଏହି ମାମଲାରେ ଅଭିଯୁକ୍ତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି। କୋର୍ଟ ତାଙ୍କର ଏହି ଆବେଦନ ଆଧାରରେ ଜାମିନ ଦେଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ। ଅନ୍ୟପଟେ ନାବାଳିକା ମା’ ଏବଂ ଉକ୍ତ ଘରୋଇ ଟିଭି ଚ୍ୟାନେଲର ମୁଖ୍ୟଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଅଡିଓରେ ପୀଡ଼ିତାଙ୍କ ମା’ ନିଜ ଦୁଃଖ କଥା କହୁଥିବା ବେଳେ ଅନ୍ୟପକ୍ଷେ ମାଲିକ କ’ଣ ହୋଇଛି ବୁଝିବା କଥା କହୁଛନ୍ତି। ତେଣୁ ଏହି ଅଡ଼ିଓରେ କିଏ ସତ କହୁଛି ତାହା ଜାଣିବା ସମସ୍ୟା ହୋଇପଡ଼ିଛି। ସେହିଭଳି ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ନାବାଳିକାଙ୍କୁ ପଚରାଉଚରା କରିବା ସହ ସେମାନଙ୍କର ଫଟୋ ଦେଖାଇଛନ୍ତି। ଏପରିକି ନାବାଳିକା ସେମାନଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହୁଥିବା ନାବାଳିକାଙ୍କୁ ଲକ୍‌ଡାଉନ୍‌ ସମୟରେ ଘରେ ପଶି ଗଣବଳାତ୍କାର କରାଯାଇଥିଲା। ଏପରିକି ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ କର୍ମଚାରୀ, ଜଣେ ପୋଲିସ ଏବଂ ତା’ର ସହଯୋଗୀ ସମ୍ପୃକ୍ତ ରହିଛନ୍ତି। ଏ ନେଇ ଗତ ମାସ ୩୦ତାରିଖରେ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ-୪୪/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share