ଭୁବନେଶ୍ୱର,୩।୨(ବ୍ୟୁରୋ): ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା। ପରେ ଯୁବକଜଣଙ୍କ ଉଦ୍ଧାର ପାଇଁ ସାହାଯ୍ୟ ମାଗିବାରୁ ନିର୍ଧୂମ ମାଡ଼ ଖାଇଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ଲିଫ୍ଟ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଯୁବକ ହେଲେ କେନ୍ଦ୍ରାପଡ଼ା ରାଜକନିକାର ବିରେନ ପରିଡ଼ା।
ବିରେନ ଗତ ୧ ତାରିଖରେ ବାଙ୍ଗାଲୋରରୁ ଭୁବନେଶ୍ୱର ଫେରିଥିଲେ। ସତସଙ୍ଗ ବିହାରଠାରେ ପ୍ରଥମ ବସ୍ ଫେଲ ହେବା ପରେ ଅନ୍ୟ ଏକ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି କାର୍ ଆଣି ଲିଫ୍ଟ ଦେବାକୁ କହିଥିଲେ। କାର୍ କଟକ ମହାନଦୀ ପୋଲ ପାଖରେ ପହଞ୍ଚିବା ପରେ ସେଠାରେ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କୁ କିଛି ପିଇବାକୁ ଦେଇଥିଲେ। ଏହାପରେ ବିରେନ ଚେତା ହରାଇଥିଲେ।
କଥା ଏଇଠି ସରି ନ ଥିଲା। ଉକ୍ତ ଲୁଟେରାଙ୍କ ସହ ଆଉ କିଛି ଯୁବକ ମିଶି ତାଙ୍କୁ ମାଡ଼ ମାରି ରାସ୍ତାକଡ଼ରେ ଫିଙ୍ଗିଦେଇଥିଲେ। ଏପରିକି ତାଙ୍କ ପାଖରେ ଥିବା ୨୫ ହଜାର ଟଙ୍କା, ଏଟିଏମ୍ କାର୍ଡ ଆଦି ସବୁ ଲୁଟି ନେଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ସେମାନେ ୭୫ ହଜାର ବାହାର କରିନେଇଥିଲେ। ସକାଳେ ଛତିଆ ନିକଟ ଏକ ପୋଖରୀ ନିକଟରେ ସେ ପଡ଼ିଥିବା ବେଳେ ତାଙ୍କ ଚେତା ଆସିଥିଲା। ରାସ୍ତା ଉପରକୁ ଉଠିବା ପରେ ସେ ପାଣି ପିଇବା ପାଇଁ ମାଗିଥିଲେ। ହେଲେ ତାଙ୍କୁ ଚୋର ଭାବି କିଛି ଟ୍ରକ୍ ଡ୍ରାଇଭର ପିଟିଥିଲେ। ବହୁତ କଷ୍ଟରେ ସେ ସେଠାରୁ ବସ୍ ଯୋଗେ ନିଜ ଗାଁକୁ ଫେରିଥିଲେ। ଏବେ ସେ ସହିଦ ନଗର ଥାନାରେ ଏନେଇ ଫେରାଦ ହୋଇଛନ୍ତି।