Categories: ଖେଳ

୪ ବର୍ଷ ପରେ ଆଜି ହେବ ବିସିସିଆଇର ଆଓ୍ବାର୍ଡ ସେରିମନି, ଭାରତ ସହ ଇଂଲଣ୍ଡ ଦଳ ମଧ୍ୟ ହେବେ ସାମିଲ, ଜାଣନ୍ତୁ କେଉଁଠି ଦେଖିପାରିବେ ଲାଇଭ୍‌

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବାର୍ଷିକ ପୁରସ୍କାର ସମାରୋହ ମଙ୍ଗଳବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ବିସିସିଆଇର ଏହି ପୁରସ୍କାର ଉତ୍ସବ ଚାରି ବର୍ଷ ପରେ ହୋଉଛି। କରୋନା କାରଣରୁ ଏହି ଆଓ୍ବାର୍ଡ ସମାରୋହ ବନ୍ଦ ହୋଇଯାଇଥିଲା। ଗତ ଥର ୧୩ ଜାନୁଆରୀ ୨୦୨୦ରେ ମୁମ୍ବାଇରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଜସପ୍ରୀତ ବୁମ୍‌ରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ମନୋନୀତ କରାଯାଇଥିଲା ଏବଂ ତାଙ୍କୁ ପୋଲି ଉମ୍ରିଗର ଆଓ୍ବାର୍ଡ’ ପ୍ରଦାନ କରାଯାଇଥିଲା।

ଚାରି ବର୍ଷର ଦୀର୍ଘ ବିରତି ପରେ ଏହି ସମାରୋହ ଆୟୋଜିତ ହେଉଛି। ତେବେ ଭାରତୀୟ କ୍ରିକେଟର ଶୁବମାନ ଗିଲ ‘କ୍ରିକେଟର ଅଫ ଦ ଇୟର’ ପାଇଁ ଫାଇନାଲିଷ୍ଟ ହୋଇଛନ୍ତି। ଏହା ସହିତ ପୂର୍ବତନ ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କେବଳ ଭାରତୀୟ ଦଳର ସମସ୍ତ ଖେଳାଳି ଉପସ୍ଥିତ ରହିବେ ନାହିଁ, ବରଂ ଟେଷ୍ଟ ସିରିଜ ଖେଳିବାକୁ ଆସିଥିବା ଇଂଲଣ୍ଡ ଦଳ ମଧ୍ୟ ଉପସ୍ଥିତ ରହିବେ।

ବିସିସିଆଇର ଏହି ପୁରସ୍କାର କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟା ୬ଟାରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଏହି ସହରରେ ଖେଳାଯିବ। ଏହି ପୁରସ୍କାର କାର୍ଯ୍ୟର ଲାଇଭ ଟେଲିକାଷ୍ଟ ପାଇଁ ଚ୍ୟାନେଲ ଘୋଷଣା କରାଯାଇ ନାହିଁ କିନ୍ତୁ ଜିଓ ସିନେମା ଆପ ଏବଂ ୱେବସାଇଟରେ ଲାଇଭ ଷ୍ଟ୍ରିମିଂ କରାଯାଇପାରେ।

Share