Categories: ଖେଳ

୧୪୦ କୋଟିର ଗ୍ୟାରେଣ୍ଟି ବଣ୍ଡ ଫେରାଇବାକୁ ଦାବି କଲା ବାଇଜୁସ୍‌

ନୂଆଦିଲ୍ଲୀ,୯ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସୋମବାର ଆପେକ୍ସ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବୈଠକରେ ଷ୍ଟାର ଇଣ୍ଡିଆ ୧୩୦ କୋଟିର ରିହାତି ଦାବି କରିଛି । ଏହା ସହିତ ଭାରତୀୟ ଦଳର ଜର୍ସି ସ୍ପନସର ରହିଥିବା ବାଇଜୁସ୍‌ ମଧ୍ୟ ୧୪୦ କୋଟିର ଗ୍ୟାରେଣ୍ଟି ବଣ୍ଡ ଫେରାଇବାକୁ ଦାବି କରିଛି।

ଚଳିତ ନଭେମ୍ବର ମାସରେ ବାଇଜୁସ୍‌ ଓହରିବା ପାଇଁ ଦାବି କରିଥିଲେ ହେଁ ବିସିସିଆଇର ଅନୁରୋଧ ଅନୁସାରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବା ପାଇଁ କମ୍ପାନୀ ରାଜି ହୋଇଥିଲା। ୩୦୦ କୋଟି ଟଙ୍କାର ଏହି ଚୁକ୍ତି ହୋଇଥିବା ବେଳେ ଏହା ମଧ୍ୟରେ ସାମିଲ ଥିଲା ୧୪୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଓ ୧୬୦ କୋଟି ଟଙ୍କାର ଇନଷ୍ଟଲମେଣ୍ଟ। ତେବେ ଚୁକ୍ତି ଅଧାରୁ ବାତିଲ ହୋଇଥିବା ବେଳେ ୧୪୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ ପାଇଁ କମ୍ପାନୀ ଦାବି କରିଛି।

ଅନ୍ୟପକ୍ଷରେ ଭାରତରେ କ୍ରିକେଟ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ୧୩୦ କୋଟି ଟଙ୍କାର ରିହାତି ଦାବି କରାଯାଇଛି। କୋଭିଡ୍‌-୧୯ କାରଣରୁ କିଛି ମ୍ୟାଚ ବାତିଲ ହୋଇଥିବା ବେଳେ କମ୍ପାନୀ କ୍ଷତିପୂରଣ ଦାବି କରିଛି। ଏହି ସମ୍ପର୍କରେ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

Share