Categories: ଖେଳ

ଭାରତୀୟ ମହିଳା ଦଳର କୋଚ୍ ନିଯୁକ୍ତ ହେଲେ ଅମୋଲ ମଜୁମଦାର, ଦିନେ ଭାରତୀୟ ଦଳରେ ମିଳିନଥିଲା ସ୍ଥାନ

ମୁମ୍ବାଇ,୨୫/୧୦: ଭାରତୀୟ ଘରୋଇ କ୍ରିକେଟର ଚର୍ଚ୍ଚିତ ଖେଳାଳି ଅମୋଲ ଅନିଲ ମଜୁମଦାରଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର ଗୁରୁଦାୟିତ୍ୱ ଦିଆଯାଇଛି। ବୁଧବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡାହାଣହାତି ବ୍ୟାଟର ଅମୋଲ ତାଙ୍କର ଜାଜ୍ୱଲ୍ୟମାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୧ ମ୍ୟାଚ ଖେଳି ୧୧,୧୬୭ ରନ୍ ସ୍କୋର କରିଛନ୍ତି।

ଘରୋଇ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ସତ୍ୱେ ଅମୋଲଙ୍କୁ ଜାତୀୟ ଟିମରେ ସ୍ଥାନ ମିଳିପାରି ନଥିଲା। କାରଣ ତାଙ୍କ ସମୟରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ଭଳି ବରିଷ୍ଠ ଖେଳାଳି ଜାତୀୟ ଟିମରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରି ଦଳରେ ପରିବର୍ତ୍ତନର କୌଣସି ସୁଯୋଗ ଦେଇ ନଥିଲେ।

ମଜୁମଦାର ତାଙ୍କର କୋଚିଂ କ୍ୟାରିୟର ଅନେକ ସଫଳତା ପାଇଛନ୍ତି। ଆଇପିଏଲରେ ସେ ରାଜସ୍ଥାନ ରୟାଲସ୍ ର ବ୍ୟାଟିଂ କୋଚ ରହିଥିଲେ ଏବଂ ଭାରତ ଗସ୍ତ ସମୟରେ ଦକ୍ଷିଣ ଆଫ୍ରିକାର ମଧ୍ୟ ସହଯୋଗୀ କୋଚ ଦାୟିତ୍ୱରେ ଥିଲେ। ମହିଳା ଟିମର ମୁଖ୍ୟ କୋଚ ପଦବୀ ମିଳିବା ପୂର୍ବରୁ ବର୍ତ୍ତମାନ ସେ ମୁମ୍ବାଇ ଟିମର କୋଚ ଅଛନ୍ତି।

ଏହା ବ୍ୟତୀତ ସେ ୧୯ ବର୍ଷରୁ କମ ଭାରତୀୟ ଦଳର କୋଚ, ୨୩ ବର୍ଷରୁ କମ ଭାରତୀୟ ଦଳର କୋଚ ଏବଂ ନେଦରଲ୍ୟାଣ୍ଡସ୍ ଦଳର ବ୍ୟାଟିଂ ପରାମର୍ଶଦାତା ରହିସାରିଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ବିସିସିଆଇ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।

 

 

Share