ମୁମ୍ବାଇ,୨।୩: ଭେଟେରାନ ବ୍ୟାଟର ଚେତେଶ୍ୱର ପୂଜାରା ଓ ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଗ୍ରେଡ୍ ସଦ୍ୟ ପ୍ରକାଶିତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛି। ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ୪ଟି ଗ୍ରେଡ୍ ରହିଛି। ଏ’ ପ୍ଲସ ଗ୍ରେଡ୍ରେ ସାମିଲ ଥିବା ଖେଳାଳିଙ୍କୁ ବାର୍ଷିକ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। ସେହିଭଳି ଏ, ବି ଓ ସି କ୍ୟାଟେଗୋରୀରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ଯଥାକ୍ରମେ ୫, ୩ ଓ ୧ କୋଟି ଟଙ୍କା ଦିଆଯାଏ।
୨୦୨୨/୨୩ ସିଜନ ଲାଗି କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଥିବା ଖେଳାଳିଙ୍କ ତାଲିକା ବିସିସିଆଇ ପକ୍ଷରୁ ବୁଧବାର ପ୍ରକାଶ କରାଯାଇଛି। ଏହି ତାଲିକା ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଦୁଇ ବରିଷ୍ଠ ବ୍ୟାଟର ବି’ ଗ୍ରେଡ୍କୁ ଖସିଛନ୍ତି। ପୂର୍ବରୁ ଦୁହେଁ ଏ’ ଗ୍ରେଡ୍ରେ ସ୍ଥାନ ପାଇଥିଲେ।
ତେବେ ସବୁଠୁ ଅବନତି ଆସିଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ଷେତ୍ରରେ। ଆହତ ସମସ୍ୟାରେ ଘେରି ହୋଇ ରହିଥିବା କ୍ରିକେଟର ପୂର୍ବରୁ ଏ’ ଗ୍ରେଡ୍ରେ ସାମିଲ ଥିଲେ। ଏବେ ତାଙ୍କୁ ସି’ ଗ୍ରେଡ୍ରେ ସ୍ଥାନ ମିଳିଛି।
ବିବାଦୀୟ ଉଇକେଟକିପର ବ୍ୟାଟର ରିଦ୍ଦିମାନ ଶାହା ଟେଷ୍ଟ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ତାଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳିବ। ସେ ବି’ରୁ ସି’ ଗ୍ରେଡ୍କୁ ଖସିଛନ୍ତି।