Categories: ଖେଳ

ବିସିସିଆଇ-ଏମିରେଟ୍ସ କ୍ରିକେଟ ଏମ୍‌ଓୟୁ ସ୍ବାକ୍ଷରିତ

ଦୁବାଇ, ୨୦ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଏମିରେଟ୍ସ କ୍ରିକେଟ ବୋର୍ଡ ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର (ଏମଓୟୁ) ଏବଂ ହୋଷ୍ଟିଂ ଏଗ୍ରିମେଣ୍ଟ ସ୍ବାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ଏହା କରାଯାଇଥିବା ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଚୁକ୍ତି ସ୍ବାକ୍ଷର ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରମୁଖ ଉପସ୍ଥିତ ଥିଲେ। ଏମିରେଟ୍ସ କ୍ରିକେଟ ବୋର୍ଡ ତରଫରୁ ଏହାର ଚେୟାରମ୍ୟାନ ଖଲିଦ୍‌ ଅଲ୍‌ ଜାରୁନି ବୁଝାମଣା ପତ୍ରରେ ସ୍ବାକ୍ଷରିତ କରିଥିଲେ। ରାଜିନାମା ଦ୍ୱାରା ଭାରତରେ ଯଦି କରୋନା ମହାମାରୀ ପରିସ୍ଥିତିରେ ସୁଧାର ନ ଆସେ ତେବେ ଆଉ ୬ ମାସ ପରେ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଅର୍ଥାତ ୨୦୨୧ ଏପ୍ରିଲ୍‌ରେ ପୁଣି ୟୁଏଇରେ ଆୟୋଜନ ହୋଇପାରେ। ଆଗକୁ ଭାରତର ଆଉ ଏକ ପ୍ରମୁଖ ଇଭେଣ୍ଟ ରହିଛି। ତାହା ହେଲା ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ। ଏହାକୁ ଯଥା ସମ୍ଭବ ଭାରତରେ ଆୟୋଜନ କରିବା ଲାଗି ଉଦ୍ୟମ ହେବ। ଯଦି ସମ୍ଭବ ନ ହୁଏ ତେବେ ଏହା ବିକଳ୍ପ ଭେନ୍ୟୁ ୟୁଏଇରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଆଇପିଏଲ୍‌ର ୧୩ ତମ ସଂସ୍କରଣ ଭାରତ ବାହାରେ ଅନୁଷ୍ଠିତ ହେଉଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ, ଆବୁଧାବି ଓ ଶାରଜା ଆଦି ତିନୋଟି ଭେନ୍ୟୁରେ ଏହା ଅନୁଷ୍ଠିତ ହେଉଛି। ଶନିବାର ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ ଗତଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସଅପ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ।

Share