Categories: ଖେଳ

ବିସିସିଆଇକୁ ମିଳିଲା ବଡ଼ ଆଶ୍ୱସ୍ତି: ପଦରେ ରହିପାରିବେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବିସିସିଆଇକୁ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ସଭାପତି ଭାବରେ କାର୍ଯ୍ୟ କରିପାରିବେ। ଗାଙ୍ଗୁଲିଙ୍କ ବ୍ୟତୀତ ବିସିସିଆଇ ସଚିବ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସଚିବ ଭାବରେ କାର୍ଯ୍ୟ କରିପାରିବେ।
ବିସିସିଆଇ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଡି ଚନ୍ଦ୍ରଚୁଢ ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ଆଗରେ ଯୁକ୍ତି ବାଢିଥିଲେ। ବିସିସିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଯେ, ସେମାନଙ୍କ ଅଧିକାରୀଙ୍କୁ କ୍ରମାଗତ ଦୁଇଥର କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଅନ୍ତୁ। ରାଜ୍ୟ କ୍ରିକେଟ ଆସୋସିଏସନ୍‌ ମଧ୍ୟ ତିନି ବର୍ଷର କୁଲିଂ ଅଫ୍‌ ପରିୟଡ୍‌ ହେତୁ ତାଙ୍କ ପଦୋନ୍ନତି କିମ୍ବା ବିସିସିଆଇରେ ଅନ୍ୟ ଏକ ପଦବୀ ଗ୍ରହଣ କରିବାରେ ସମସ୍ୟା ରହିଛି। ଏହା ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଗୋଟିଏ ଅବଧି ପରେ କୁଲିଂ ଅଫ୍‌ ପରିୟଡ ପାଇଁ କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଏହା ଦୁଇଟି ସର୍ତ୍ତ ପରେ କରାଯାଇପାରିବ।
ସୂଚନାଯୋଗ୍ୟ ଯେ ୨୦୧୮ରେ ଲୋଧା କମିଟିର ସୁପାରିସ ମୁତାବକ ବିସିସିଆଇ ସମ୍ବିଧାନରେ ଥିବା ‘କୁଲିଂ ଅଫ ପିରିୟଡ’ ଅନୁସାରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ରେ ବିଭିନ୍ନ ପଦ ପଦବୀରେ ଲଗାତାର ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ କୌଣସି ବ୍ୟକ୍ତି କ୍ରମାଗତ ୬ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ ପିରିୟଡରେ ଯିବାକୁ ହେବ। ଅର୍ଥାତ୍‌ ଏହି ୩ ବର୍ଷ ଭିତରେ ସେ ଭାରତୀୟ କ୍ରିକେଟ ପରିଚାଳନାର କେଣସି ପଦବୀରେ ରହିପାରିବେ ନାହିଁ।

Share