Categories: ଖେଳ

‘ଆୟର-କିଶନଙ୍କ ପ୍ରତି ଅନ୍ୟାୟ ହୋଇଛି’

ନୂଆଦିଲ୍ଲୀ,୧।୩: ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା ହେବା ପରଠାରୁ ବିବାଦ ଉପୁଜିଛି। ବିଶେଷକରି ଶ୍ରେୟାସ ଆୟର ଏବଂ ଈଶାନ କିଶନଙ୍କ ନାମ କୌଣସି ଗ୍ରେଡ୍‌ରେ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଉଭୟଙ୍କ ନାମକୁ ବିଚାରକୁ ନିଆଯାଇ ନ ଥିବା କୁହାଯାଇଥିବା ବେଳେ ପୂର୍ବ ଭାରତୀୟ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍‌ ଅଞ୍ଜୁମ ଚୋପ୍ରା ପ୍ରତିକ୍ରିୟା ରଖିଛନ୍ତି। କେବଳ ଅନୁଶାସନ ଲାଗି ଆୟର ଏବଂ କିଶନଙ୍କୁ ଏଭଳି ଦଣ୍ଡ ଦିଆଯାଇଥିଲେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି।

ଅଞ୍ଜୁମ କହିଛନ୍ତି, ଯେଉଁ କାରଣ ଦିଆଯାଇଛି ତାକୁ ଦେଖି ଲାଗୁଛି ଯେ ଅଧିକ କଠୋର ହୋଇ ନିଷ୍ପତ୍ତି ନିଆଯାଇଛି। ସମସ୍ତ କାରଣ ଗଣମାଧ୍ୟମକୁ କହିବା ଆବଶ୍ୟକ ନୁହେଁ। ଯଦି କିଛି କାରଣ ରହିଛି ତେବେ ଲାଗୁଛି ଯେ ମ୍ୟାନେଜମେଣ୍ଟ ଉଭୟଙ୍କ ସହ କଥା ହୋଇଥିବେ। ସେମାନଙ୍କୁ ଖେଳିବାକୁ କହିଥିବେ। ଏହାସତ୍ତ୍ୱେ ସେ ତାହା ନ କଲେ ବିସିସିଆଇର ଏହି ନିଷ୍ପତ୍ତି ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିପାରିବା।

ଏହାଛଡ଼ା ଘରୋଇ କ୍ରିକେଟର ଗୁରୁତ୍ୱକୁ ନେଇ ଅଞ୍ଜୁମ କହିଛନ୍ତି, ମୁଁ ମଧ୍ୟ ଗଣମାଧ୍ୟମରୁ ପଢ଼ିଥିଲି। ଆମେ ଘରୋଇ କ୍ରିକେଟସ୍ତରକୁ ତଳକୁ କରିବା ଠିକ୍‌ ନୁହେଁ। କାରଣ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ କହୁ ଆଇପିଏଲ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ଆଜି ଯେଉଁ ନୂଆ ଖେଳାଳି ଡେବ୍ୟୁ କରିଛନ୍ତି ସେମାନେ ସେହି ଘରୋଇ କ୍ରିକେଟରୁ ଆସିଛନ୍ତି। ଏମିତି ନୁହେଁ ଯେ ଖେଳାଳି ଖେଳିବାକୁ ଚାହୁଁନାହାନ୍ତି। ହେଲେ ଜଣେ ଖେଳାଳି ହିସାବରେ କହିବି ଯେ ଆୟର ଏବଂ ଈଶାନଙ୍କ ସହ ଅଧିକ କଠୋର ନିଷ୍ପତ୍ତି ନିଆଯାଇଛି। ଯଦି ମ୍ୟାନେଜମେଣ୍ଟ କଥା କହିବା ତେବେ କିଛି କାରଣ ଥାଇପାରେ। ବୋର୍ଡ ତାହା ଜାଣିଥିବ ବୋଲି ସେ କହିଛନ୍ତି।

Share