ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବିସିସିଆଇ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ୧୦ ବର୍ଷ ହେଲା ବିସିସିଆଇ ତାଙ୍କର ପାଉଣା ବାକି ରହିଥିବା ସେ କହିଛନ୍ତି। ଏହି କ୍ରିକେଟର ଜଣଙ୍କ ହେଉଛନ୍ତିି ଅଷ୍ଟ୍ରେଲିଆର ବ୍ୟାଟସ୍ ମ୍ୟାନ୍ ବ୍ରାଡ୍ ହୋଜ୍। ୨୦୧୧ ଆଇପିଏଲ୍ରେ ସେ କୋଚି ଟସ୍କର୍ସ ପକ୍ଷରୁ ଖେଳିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ପାଉଣା ତାଙ୍କୁ ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ୨୦୧୦ରେ ବିସିସିଆଇ ପକ୍ଷରୁ ଆଇପିଏଲ୍ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରିବାକୁ ନିଷ୍ପତ୍ତି କରାଯାଇଥିଲା। ୨୦୧୧ ଆଇପିଏଲ୍ ସିଜିନ୍ରେ କୋଚି ଟସ୍କର୍ସ ପକ୍ଷରୁ ଖେଳିବା ଲାଗି ବ୍ରାଡ୍ ହୋଜ୍ଙ୍କୁ ୪ ଲକ୍ଷ ୨୫ ହଜାର ଟଙ୍କାରେ ଚୁକ୍ତିବଦ୍ଧ କରାଯାଇଥିଲା। ପରେ କୋଚି ଟସ୍କର୍ସକୁ ଗୋଟିଏ ସିଜିନ୍ ପରେ ହଟାଇ ଦିଆଯାଇଥିଲା। ଇତିମଧ୍ୟରେ ୧୦ ବର୍ଷ ବିତି ଗଲାଣି। ତେବେ କୋଚି ଟସ୍କର୍ସର ବହୁ ଖେଳାଳିଙ୍କର ୩୫ ପ୍ରତିଶତ ପାଉଣା ବାକି ରହିଥିବା ବ୍ରାଡ୍ ହୋଜ୍ ଅଭିଯୋଗ କରିଛନ୍ତି।