Categories: ଖେଳ

ଅଟ୍ଟାରୀ ୱାଘା ସୀମାରେ ପହଞ୍ଚିଲେ ରୋଜର ବିନ୍ନି, ରାଜୀବ ଶୁକ୍ଲା, ଲାହୋରରେ ଦେଖିବେ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ

ନୂଆଦିଲ୍ଲୀ,୪।୯: ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଜିଠୁ ଦୁଇ ଦିବସୀୟ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଉଭୟ ଅମୃତସରରେ ପହଞ୍ଚିବା ପରେ ଅଟ୍ଟାରୀ ୱାଘା ସୀମା ଦେଇ ପାକିସ୍ତାନ ଯାଇଛନ୍ତି। ୫ ସେପ୍ଟେମ୍ବରରେ ଲାହୋରର ଗଦ୍ଧାଫି ଷ୍ଟାଡିୟମରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଷଷ୍ଠ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ଉଭୟ ବିସିସିଆଇ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଉପସ୍ଥିତ ରହିବେ।

୨୦୦୮ ପରେ ପ୍ରଥମ ଥର ବିସିସିଆଇର ଜଣେ ଅଧିକାରୀ ପାକିସ୍ତାନ ଗସ୍ତ କରିଛନ୍ତି। ଏସିଆ କପ ପାଇଁ ନିମନ୍ତ୍ରଣ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ବିସିସିଆଇ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ପିସିବି ଲାହୋରରେ ଏକ ସରକାରୀ ରାତ୍ରୀ ଭୋଜନ ଆୟୋଜନ କରିଛି, ଯେଉଁଥିରେ ଉଭୟ ବିସିସିଆଇ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଯୋଗଦେବେ।

ପାକିସ୍ତାନ ଯିବା ପୂର୍ବରୁ ରାଜୀବ ଶୁକ୍ଲା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ତାଙ୍କର ଏହି ଗସ୍ତ କ୍ରିକେଟ ବିଷୟରେ ଏବଂ ଏଥିରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହେବନାହିଁ।

Share