ନୂଆଦିଲ୍ଲୀ,୧୮।୧: ଭାରତର ଟେଷ୍ଟ ଅଧିନାୟକ ପଦକୁ ଛାଡ଼ିବା ଲାଗି ହଠାତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ ବିରାଟ କୋହଲି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇ ସଭାପତି ପଦ କିଏ ସମ୍ଭାଳିବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ସଚିବ ଜୟ ଶାହାଙ୍କ ମଧ୍ୟ ଶେଷ ହେବ। ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଗାଙ୍ଗୁଲି ଏବଂ ଶାହାଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ଗାଙ୍ଗୁଲିଙ୍କ ସମୟରେ ଉଭୟ ସଫଳତା ଏବଂ ବିବାଦ ଦେଖିବାକୁ ମିଳିଛି। ରାହୁଲ ଦ୍ରାବିଡ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ଏହାକୁ ସଫଳତା କୁହାଯାଇପାରେ। ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ ଏକାଡେମୀ(ଏନ୍ସିଏ)ର ସଭାପତି କରାଯାଇଥିବା ବେଳେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ସେହିଭଳି କୋହଲି ଟି-୨୦ ଅଧିନାୟକତ୍ୱ ଛାଡ଼ିବା ଏବଂ ତାଙ୍କଠାରୁ ଦିନିକିଆର ଅଧିନାୟକତ୍ୱ ଛଡ଼ାଇ ନିଆଯିବାକୁ ନେଇ ବିବାଦ ଦେଖାଦେଇଥିଲା। ଏଣୁ ବିସିସିଆଇ ନୂତନ ସଭାପତିଙ୍କୁ ସ୍ବାଗତ କରିବ କି ପୁଣିଥରେ ଗାଙ୍ଗୁଲି ଏବଂ ଶାହା ଏହି ଦାୟିତ୍ୱ ତୁଲାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି।