Categories: ଖେଳ

ଆଇପିଏଲ ପାଇଁ ଆଗୁଆ ଶେଷ ହୋଇପାରେ ସିପିଏଲ

ନୂଆଦିଲ୍ଲୀ, ୩୦।୫: ଆଇପିଏଲର ବଳକା ମ୍ୟାଚ୍‌କୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିସିସିଆଇ କାରିବିଅନ ପ୍ରିମିୟ ଲିଗ୍‌ (ସିପିଏଲ)କୁ ଏକ ସପ୍ତାହ କିମ୍ବା ୧୦ ଦିନ ଆଗରୁ ଶେଷ କରିବାକୁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ବୋର୍ଡକୁ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ଆଇପିଏଲ ଲାଗି ଖେଳାଳିଙ୍କୁ ବବଲରୁ ବବଲ ନିଆଯାଇପାରିବ।

କାର୍ଯ୍ୟସୂଚୀ ଅନୁଯାୟୀ, ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ସିପିଏଲ-୯’ର ଫାଇନାଲ ସେପ୍ଟେମ୍ବର ୧୯ରେ ଖେଳାଯିବାର ଅଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୧୮ରୁ ଆଇପିଏଲ-୧୪ର ବଳକା ମ୍ୟାଚ୍‌ ଖେଳାଯିବ। ଏଣୁ ଓ୍ବେଷ୍ଟଇଣ୍ଡିଆନ କ୍ରିକେଟରଙ୍କୁ ସମୟ ମିଳିବ ନାହିଁ।

”ଆମେ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ସହ ଆଲୋଚନା କରୁଛୁ। ସିପିଏଲ ପୂର୍ବ ନିର୍ଦ୍ଧାରିତ ତାରିଖରୁ ଏକ ସପ୍ତାହ ପୂର୍ବରୁ ଶେଷ ହୋଇପାରିଲେ, ଖେଳାଳିଙ୍କୁ ସହଜରେ ବବଲରୁ ବବଲ ନିଆଯାଇପାରିବ। ସେଠାରେ ଖେଳାଳିମାନେ ୩ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ“ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି।

ଯଦି ବିସିସିଆଇ ଓ ସିଡବ୍ଲ୍ୟୁଆଇ ମଧ୍ୟରେ ଚାଲିଥିବା ଆଲୋଚନା ବିସଫଳ ହୁଏ, ତେବେ କିଛି ବଡ଼ ଖେଳାଳିମାନେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ପ୍ରାରମ୍ଭିକ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ଉଭୟ ଟି୨୦ ଖେଳୁଥିବା ଖେଳାଳିଙ୍କ ତାଲିକାରେ କିରନ ପୋଲାର୍ଡ, କ୍ରିସ ଗେଲ, ଡ୍ବେନ ବ୍ରାଭୋ, ଶିମରନ ହେଟମାୟର, ଜାସନ ହୋଲ୍ଡର, ନିକୋଲାସ ପୁରାନ, ଫାବିଆନ ଆଲେନ, କିମୋ ପଲ, ସୁନିଲ ନାରିନ ଓ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ ରହିଛନ୍ତି।

Share