Categories: ଖେଳ

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ ଭାବେ ଉଭା ହୋଇଛି। ତେବେ ଏହା ଦ୍ୱାରା ଟିମ ଇଣ୍ଡିଆର ଅନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ ହ୍ରାସ ପାଇବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବିସିସିଆଇ ଏ ବାବଦରେ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛି।

ଭବିଷ୍ୟତରେ ଭାରତର ଦୁଇଟି ଦଳ ଏକାସାଙ୍ଗରେ ବିଭିନ୍ନ ଦେଶରେ ଖେଳୁଥିବା ଦେଖିବାକୁ ମିଳିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆମର ଦୁଇ ଦଳ ଏକ ସମୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବେ। ଆଇପିଏଲ ଲୋକପ୍ରିୟତା ବଢ଼ିବା ଯୋଗୁ ବର୍ତ୍ତମାନ ମ୍ୟାଚ ସଂଖ୍ୟା ବୃଦ୍ଧି କରିବାକୁ ବିସିସିଆଇ ଉପରେ ଚାପ ରହିଛି।

ଆସନ୍ତା ସିଜିନରୁ ଆଇପିଏଲର ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। ଜୟ ଶାହା କହିଛନ୍ତି ଯେ ଆସନ୍ତା ବର୍ଷ ଠାରୁ ଆଇପିଏଲ ୨ ବଦଳରେ ୨.୫ ମାସର ୱିଣ୍ଡୋ ପାଇବ। ଏହି ସମୟ ମଧ୍ୟରେ ସମସ୍ତ ଦେଶରୁ ଅନ୍ତର୍ଜାତୀୟ କ୍ରିକେଟରମାନେ ଆଇପିଏଲ ପାଇଁ ଉପଲବ୍ଧ ହେବେ। ଆଇପିଏଲର ୱିଣ୍ଡୋରେ ବୃଦ୍ଧି ହେତୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମ୍ୟାଚ ଉପରେ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ।

ବିସିସିଆଇର ଦୁଇ ଟିମ୍‌ ଗଠନ ଯୋଜନାର ସ୍ବରୂପ ଗତ ବର୍ଷ ଦେଖିବାକୁ ମିଳିଥିଲା। ଗତ ବର୍ଷ ଟିମ ଇଣ୍ଡିଆର ତାରକା ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଥିଲେ। ଏହି ସମୟରେ, ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ଟି -୨୦ ଏବଂ ଏକଦିବସୀୟ ଦଳର ଅଂଶ ଭାବରେ ଶ୍ରୀଲଙ୍କା ପଠାଯାଇଥିଲା। ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତରେ ବୋର୍ଡ ଦ୍ୱାରା ମଧ୍ୟ ଏଭଳି ଏକ ସମାନ ଦଳ ପଠାଯିବ।

Share