ଆଇପିଏଲ୍‌ରେ କରୋନା ଟେଷ୍ଟ ପାଇଁ ବିସିସିଆଇ ଖର୍ଚ୍ଚ କରିବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ, ୧।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ମାସ ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌-୧୩କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ କରିବାକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି। ଏହି ସିଜନ ଆଇପିଏଲ୍‌ ଅବସରରେ ବିସିସିଆଇ ୨୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଯେଉଁଥି ପାଇଁ ବିସିସିଆଇ ୧୦ କୋଟି ଟଙ୍କାର ବଜେଟ୍‌ ସ୍ଥିର କରିଛି। ୟୁଏଇ ଗସ୍ତ କରିବା ପୂର୍ବରୁ ଭାରତରେ ଖେଳାଳିଙ୍କ କରୋନା ଟେଷ୍ଟ ଖର୍ଚ୍ଚ ୮ଟି ଯାକ ଫ୍ରାଞ୍ଚାଇଜ ବହନ କରିଥିଲେ। କିନ୍ତୁ ୨୦ ଅଗଷ୍ଟରୁ ପର୍ଯ୍ୟାୟକ୍ରମେ ୮ଟି ଯାକ ଦଳ ୟୁଏଇରେ ପହଞ୍ଚିବା ପରେ ସେଠାରେ ନିୟମିତ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା କରୋନା ଟେଷ୍ଟ ଖର୍ଚ୍ଚ ବିସିସିଆଇ ବହନ କରିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କରୋନା ଟେଷ୍ଟ ଲାଗି ଆମେ ୟୁଏଇ କମ୍ପାନୀ ବିପିଏସ୍‌ ହେଲ୍‌ଥ କେୟାର ସହ ଚୁକ୍ତି କରିଛୁ। କମ୍ପାନୀର ୭୫ଜଣ ସ୍ବାସ୍ଥ୍ୟକର୍ମୀ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ ଅନ୍ୟ ସଦସ୍ୟଙ୍କ କରୋନା ଟେଷ୍ଟ କାର୍ଯ୍ୟ କରିବେ। କେତେ ସଂଖ୍ୟକ ଟେଷ୍ଟ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପାଖାପାଖି ଏହି ସଂଖ୍ୟା ୨୦ ହଜାର ହେବ। ପ୍ରତି କରୋନା ଟେଷ୍ଟ ଲାଗି ବିସିସିଆଇ ପାଖାପାଖି ୩ ହଜାର ୯୭୧ ଟଙ୍କା ଖର୍ଚ୍ଚ କରିବ। ଫଳରେ ବିସିସିଆଇ କରୋନା ଟେଷ୍ଟ ଲାଗି ପାଖାପାଖି ୧୦ କୋଟି ଖର୍ଚ୍ଚ କରିବାର ଆକଳନ କରାଯାଉଛି ବୋଲି ଏହି ବିସିସିଆଇ ଅଧିକାରୀ କହିଛନ୍ତି।

Share