Categories: ଖେଳ

ଷ୍ଟାଡିୟମ ଅପ୍‌ଗ୍ରେଡ୍‌ କରିବ ବିସିସିଆଇ

ନୂଆଦିଲ୍ଲୀ, ୧୨ା୪(ପି.ଟି.): ଆସନ୍ତା ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଦର୍ଶକମାନେ ଷ୍ଟାଡିୟମକୁ ନେଇ କରୁଥିବା ଅଭିଯୋଗକୁ ଦୂର କରିବା ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ୫ଟି ମୁଖ୍ୟ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୫୦୦ କୋଟି ଟଙ୍କାର ନିବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କ୍ରିକେଟରୁ ବିଗତ ୧୦ ବର୍ଷ ମଧ୍ୟରେ ବିସିସିଆଇ ବିପୁଳ ଅର୍ଥ ଆୟ କରିଛି। ବିଶ୍ୱର ଧନୀ କ୍ରିକେଟ ବୋର୍ଡ ବିସିସିଆଇ ଦର୍ଶକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିବେଶ କରିବ। ବର୍ଡର ଗାଭାସ୍କର ସିରିଜ୍‌ର ଦିଲ୍ଲୀ ଟେଷ୍ଟରେ ଅପରିଷ୍କାର ଟଏଲେଟ୍‌କୁ ନେଇ କିଛି ଫ୍ୟାନ ଅଭିଯୋଗ ଆଣିଥିଲେ। ଆଗାମୀ ଦିନିକିଆ ବିଶ୍ୱକପର ୫ ଷ୍ଟାଡିୟମ ମଧ୍ୟରୁ ଦିଲ୍ଲୀ ଅନ୍ୟତମ ରହିଥିବା ବେଳେ ଏହା ସମେତ ଅନ୍ୟ ଷ୍ଟାଡିୟମଗୁଡିକର ସ୍ବଚ୍ଛତା ଉପରେ କାମ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମ ବ୍ୟତୀତ ହାଇଦ୍ରାବାଦ, କୋଲକାତା, ମୋହାଲି ଓ ମୁମ୍ବାଇ ଷ୍ଟାଡିୟମରେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯିବ। ଦିଲ୍ଲୀ ଷ୍ଟାଡିୟମ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ହାଇଦ୍ରାବାଦ ପାଇଁ ୧୧୭.୧୭ କୋଟି, କୋଲକାତାର ଇଡେନ୍‌ ଗାର୍ଡେନ୍ସ ପାଇଁ ୧୨୪.୪୭ କୋଟି, ମୋହାଲିର ପିସିଏ ଷ୍ଟାଡିୟମ ପାଇଁ ୭୯.୪୬ କୋଟି ଓ ଓ୍ବାଙ୍ଖଡେ ଷ୍ଟାଡିୟମ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଯଦିଓ ମୋହାଲି ଚଳିତ ବିଶ୍ୱକପ୍‌ ଷ୍ଟାଡିୟମ ତାଲିକାରେ ନାହିଁ ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଏହି ଉନ୍ନତୀମୂଳକ କାର୍ଯ୍ୟ ମଧ୍ୟରେ ଷ୍ଟାଡିୟମର ବାହାର ଓ ଭିତର ସାଜସଜ୍ଜା, ମିଡିଆ ସେଣ୍ଟରର ଉନ୍ନତି, ଫୋଲ୍ଡେବଲ ଚେୟାର, ଲାଇଟ୍‌ ଓ ଓ୍ବାଇଫାଇ ପରି ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ଏହା ସହ ଶୌଚାଳୟ ବ୍ୟବସ୍ଥାକୁ ମଧ୍ୟ ଅତ୍ୟାଧୁନିକ କରାଯିବାର ଯୋଜନା ରହିଛି।

Share