୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ବିଡିଓ

ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ। ଗୁରୁବାର ଅପରାହ୍ନରେ ସରକାରୀ ଗାଡିରେ ୪.୯୨ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । ଏହି ସମୟରେ ବିଡ଼ିଓଙ୍କ ସରକାରୀ ଗାଡିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ ଉତ୍ତର ଦେଇ ପାରି ନ ଥିବା ଜଣାପଡିଛି।

ଫଳରେ ଭିଜିଲାନ୍ସ ବିଭାଗ ବିଡ଼ିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ, ବିଡ଼ିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share