ଏନ୍‌ଜିଟିରେ ବିଡିଏ ସଚିବଙ୍କୁ ୫ଶହ ଟଙ୍କା ଜରିମାନା

ଭୁବନେଶ୍ୱର, ୩୧।୭ (ବନ୍ଦନା ସେଠୀ):ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ କାଜୁଆଲ ବା ଖାମଖିଆଲ ଭାବେ ଆଫିଡେଭିଟ୍‌ ଦାଖଲ କରିଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଛି। ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡରେ ୱାଟ୍‌କୋ ଦ୍ୱାରା କରାଯାଉଥିବା ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ଦାଖଲ ହୋଇଥିବା ଏକ ପିଟିଶନ୍‌କୁ ନେଇ ସଚିବ ସାହୁ ଏନ୍‌ଜିଟିରେ ଉକ୍ତ ଆଫିଡେଭିଟ୍‌ ଦାଖଲ କରିଥିଲେ। ଗୁରୁବାର କୋଲକାତାସ୍ଥିତ ଏନ୍‌ଜିଟିର ପୂର୍ବଜୋନ୍‌ ବେଞ୍ଚରେ ଏହାର ଶୁଣାଣି ହୋଇଥିଲା। ଜଷ୍ଟିସ ବି. ଅମିତ ଷ୍ଟାଲେକର ଏବଂ ଡ. ଅରୁଣ କୁମାର ବର୍ମା (ବିଶେଷଜ୍ଞ ସଦସ୍ୟ) ଏହି ଆଫିଡେଭିଟ୍‌କୁ ଖଣ୍ଡନ କରି କହିଛନ୍ତି, ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ରବୀନ୍ଦ୍ର କୁମାର ସାହୁ ଆକାଶ ବିଲ୍ଡିଂ, ସଚିବାଳୟ ମାର୍ଗ, ଭୁବନେଶ୍ୱର, ଜିଲା ଖୋର୍ଦ୍ଧାର ସଚିବ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଛନ୍ତି। ମାତ୍ର ସେ କେଉଁ ବିଭାଗ ବା କେଉଁ କାର୍ଯ୍ୟାଳୟରେ ସଚିବ ଅଛନ୍ତି ସେନେଇ ସେଥିରେ କିଛି ଉଲ୍ଲେଖ ନାହିଁ। ଜଣେ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱହୀନତାକୁ ଦର୍ଶାଉଛି। ତେଣୁ ତାଙ୍କ ଉପରେ ୫ଶହ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଅପରପକ୍ଷେ ୨୪ଘଣ୍ଟା ମଧ୍ୟରେ ଏକ ସଂଶୋଧିତ ଆଫିଡେଭିଟ୍‌ ଦାଖଲ କରିବାକୁ ସାହୁଙ୍କୁ ବେଞ୍ଚ ନିର୍ଦ୍ଦେଶ ଦେଇଛି।
ଶିଖରଚଣ୍ଡୀ ପାହାଡ଼ରେ ଜଳ ସଂରକ୍ଷଣ ପ୍ରକଳ୍ପ ଓ ଏଥିପାଇଁ ଗଛକଟାକୁ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ସହ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ମାନେ ବିରୋଧ କରୁଛନ୍ତି। ଏନେଇ ସମିତିର ସଚିନ ମହାପାତ୍ର ଏନ୍‌ଜିଟିରେ ପିଟିଶନ ଦାଖଲ କରିଛନ୍ତି। ଶିଖରଚଣ୍ଡୀ ପାହାଡ ଅଞ୍ଚଳ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟକୁ ଲାଗିଛି। ଏଠାରେ ପ୍ରକଳ୍ପ ପାଇଁ ଗଛକଟା ହେବାଦ୍ୱାରା ପରିବେଶରେ କ୍ଷତି ହେବା ସହ ବନ୍ୟଜନ୍ତୁ ବେସାହାରା ହୋଇ ଜନବସତି ଆଡକୁ ମୁହଁାଉଥିବା ପିଟିଶନରେ ଉଲ୍ଲେଖ କରିଛନ୍ତି।

Share