ଜୟନାରାୟଣଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ସମ୍ବଲପୁର,୧୨।୧(ଭବାନୀ ଶଙ୍କର ଭୋଇ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ଗୁରୁବାର ସମ୍ବଲପୁର ବିଜେଡି ଜିଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଭାଜପା ନେତାଙ୍କ ମଧ୍ୟରେ କାଦୁଅଫିଙ୍ଗା ଦେଖିବାକୁ ମିଳିଛି। ସକାଳେ ପୂଜାରୀ ନିଜ ବାସଭବନରେ ଖବରଦାତା ସମ୍ମିଳନୀ ଡାକିଥିଲେ। ସେଠାରେ ସେ କହିଥିଲେ ଯେ, ଜୟନାରାୟଣ ନିଜ ବିଧାନସଭା ଅଞ୍ଚଳରେ ପାଖାପାଖି ୫ ବର୍ଷ ଭିତରେ କୌଣସି ଉନ୍ନତିମୂଳକ କାମ କରିନାହାନ୍ତି। ସେଥିପାଇଁ ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ବିଧାନସଭାରୁ ଭାଜପା ଆଉ ଟିକେଟ ଦେଉ ନ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ରୋହିତ କହିଥିଲେ। ସେଥିପାଇଁ ମାଇନିଂ ଦୁର୍ନୀତି କଥା କହି ଜୟନାରାୟଣ ହିରୋ ହେବାକୁ ପ୍ରୟାସ କରିବା ସହ ଖଣିମାଲିକଙ୍କୁ ଭୟଭୀତ କରି କିଛି ଅର୍ଥ ଆଦାୟ କରିବାକୁ ଯୋଜନା ରଖିଥାଇ ପାରନ୍ତି ବୋଲି ରୋହିତ କହିଛନ୍ତି। ଆଗକୁ ବିଧାୟକ ହେବା ମୋହ ଛାଡ଼ି ନିଜ ସ୍ବାସ୍ଥ୍ୟ କଥା ଚିନ୍ତା କରିବାକୁ ଜୟନାରାୟଣଙ୍କୁ ରୋହିତ ପରାମର୍ଶ ଦେଇଥିଲେ। ସମ୍ବଲପୁର ବିଧାୟକ ଓ ସାଂସଦ ଗତ ସାଢ଼େ ଚାରି ବର୍ଷ ହେବ ଅଞ୍ଚଳରେ ଦେଖା ଦେଉ ନ ଥିବା ବେଳେ ଲୋକେ ସେମାନଙ୍କୁ ଆଉ ବିଶ୍ୱାସ କରୁନାହାନ୍ତି। ଏଣୁ ଏହାକୁ ଭରଣା କରିବାକୁ ବାହାର ଜିଲାର ଭଡ଼ାଟିଆ କେନ୍ଦ୍ରମନ୍ତ୍ରୀଙ୍କୁ ଭାଜପା ପକ୍ଷରୁ ସମ୍ବଲପୁରକୁ ଆଣି ପ୍ରାର୍ଥୀ କରିବାକୁ ଚେଷ୍ଟା କରାଯାଉଛି ବୋଲି ରୋହିତ ପୂଜାରୀ କହିଛନ୍ତି। ବୁଧବାର ବିରୋଧୀ ଦଳ ନେତା ମାଇନିଂ ଦୁର୍ନୀତି କଥା କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଜି ଜୟନାରାୟଣଙ୍କୁ ଏହାର କଡ଼ା ଜବାବ ଦେଇଥିଲେ ରୋହିତ।

ଅନ୍ୟପକ୍ଷରେ ରୋହିତ ଖବରଦାତା ସମ୍ମିଳନୀ କରି ଜୟନାରାୟଣଙ୍କ ଉପରେ ବର୍ଷିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ଜିଲା ସଭାପତି ଗିରୀଶ ପଟେଲ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁ ସମୟରେ ହିରୋ। ତେଣୁ ତାଙ୍କୁ ହିରୋ ହେବାକୁ କିଛି କହିବା ଜରୁରୀ ନୁହେଁ ଏକଥା ସମ୍ବଲପୁରବାସୀ ଜାଣନ୍ତି ବୋଲି ପଟେଲ କହିଛନ୍ତି। ଜୟନାରାୟଣ ବିଭିନ୍ନ ସମୟରେ ଭିନ୍ନି ଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କିଭିଳି ଅସୁବିଧାରେ ପକାଇଆସିଛନ୍ତି, ତାହା ସମସ୍ତଙ୍କୁ ଜଣା ବୋଲି ଭାଜପା ଜିଲା ସଭାପତି କହିଛନ୍ତି। ତା’ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ଏଠାରେ ସହ ଆଜିର ନୁହେଁ ବରଂ ଏବିଭିପି ସମୟରୁ ସେ ସମ୍ବଲପୁରରେ କାମ କରିଆସିଛନ୍ତି। ଜାତୀୟ ରାଜପଥର ଉନ୍ନତୀକରଣ, ଡେବ୍ରିଗଡ଼ ଓ ଖିଣ୍ଡାକୁ ସ୍ବଦେଶ ଯୋଜନାରେ ସାମିଲ, ପଶ୍ଚିମାଞ୍ଚଳର ଇତିହାସ ଉପରେ ଗବେଷଣା ଆଦି ବିକାଶ କାମଗୁଡ଼ିକ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ତ୍ୱରାନ୍ବିତ ହେଉଥିବାରୁ ରୋହିତ ଏକଥା ସହି ପାରୁନାହାନ୍ତି ବୋଲି ପଟେଲ କହିଛନ୍ତି। ବିଜେଡି ସମ୍ବଲପୁରରେ ଯାହା କାମ କରିବା କଥା ତାହା କେନ୍ଦ୍ରମନ୍ତ୍ରୀ କରୁଛନ୍ତି। ଏଥିସହିତ ସମ୍ବଲପୁର ବିଧାୟକ ଅଞ୍ଚଳ ପାଇଁ ଗତ ୨୦ ବର୍ଷରେ ବହୁତ କାମ କରିଛନ୍ତି। ଏବେ ସ୍ବାସ୍ଥ୍ୟଗତ କାରଣରୁ ଚିକିତ୍ସାଧୀନ ଥିବାରୁ ସମ୍ବଲପୁର ଆସିପାରି ନ ଥିବା ସେ କହିଛନ୍ତି। ତେବେ ରୋହିତ ନିଜ ନିର୍ବାଚନମଣ୍ଡଳୀ କିମ୍ବା ସମ୍ବଲପୁର ପାଇଁ କ’ଣ କରିଛନ୍ତି ସେକଥା କୁହନ୍ତୁ ବୋଲି ପଟେଲ ପାଲଟା ପ୍ରଶ୍ନ କରିଥିଲେ।

 

Share