ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆପୋଷ ବୁଝାମଣା ପରେ ଗେଟ୍‌ ତାଲା ଖୋଲା ଯାଇଥିଲା। ଘଟଣାରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ଏବଂ ଭାଜପା କର୍ମକର୍ତ୍ତା ସାମିଲ ଥିଲେ।

ପ୍ରକାଶ ଯେ, ଏମ୍‌ପିଙ୍କ ପ୍ରତିନିଧି ଓ ଅନ୍ୟ କେତେଜଣ ଭାଜପା କର୍ମକର୍ତ୍ତା ବ୍ଲକ କାର୍ଯ୍ୟାଳୟକୁ କେତେକ କାମ ନେଇ ଆସିଥିଲେ। ସେଠାରେ ସେମାନେ ବିଡିଓ ଗୀତା ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ହେଲେ କୌଣସି ନିର୍ଦ୍ଦିଷ୍ଟ କାମ ନ ଥାଇ ବାରମ୍ବାର କାହିଁକି ଏତେ ସଂଖ୍ୟକ ଲୋକ ଆସୁଛ ବୋଲି ବିଡିଓ ସେମାନଙ୍କୁ କହିଥିଲେ। ଏନେଇ ବିଡିଓ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା କର୍ମୀ ବିଡିଓ ଅଫିସରେ ଥିବା ବେଳେ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଭାଜପା କର୍ମୀଙ୍କ କହିବା ଅନୁସାରେ, ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ଯାଇଥିବା ବେଳେ ବିଡିଓ ତାଙ୍କୁ ଭଲ ବ୍ୟବହାର କରି ନ ଥିବା ଅଭିଯୋଗ କରିଛନ୍ତି।

ଏନେଇ ବିଡିଓ ମୁର୍ମୁ କହିଛନ୍ତି, ଏମ୍‌ପିଙ୍କ ପ୍ରତିନିଧି ଓ ଭାଜପା ସମର୍ଥକମାନେ ବାରମ୍ବାର ଆସୁଥିବାରୁ କାହିଁକି ଏତେ ସଂଖକ ଆସୁଛ, ଜଣେ କି ଦୁଇଜଣ ଆସି କଥାବାର୍ତ୍ତା କରିବାକୁ କହିଥିଲେ। ଏଥିରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ସେମାନେ ବୁଝିବା ପରେ ତାଲା ଖୋଲି ଥିଲେ।

ଅନ୍ୟପକ୍ଷେ ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି, ସରକାରୀ ଦଳର ହୋଇଥିବାରୁ ଆଜି ଦୁଇ ମଣ୍ଡଳର ସଭାପତି ଓ ଅନ୍ୟମାନେ କେତେକ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। ତେବେ କାହିଁକି ଏତେ ସଂଖ୍ୟାରେ ଆସିଛ ବୋଲି କହି ବିଡିଓ ଦୁର୍ବ୍ୟବହାର କରିଥିଲେ। ଏହାର ପ୍ରତିବାଦ ସ୍ବରୂପ ଫାଟକ ନିକଟରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲୁ। ପରେ ତାଲା ଖୋଲି ଦିଆଯାଇଥିବା ସେ କହିଛନ୍ତି।