ରୁହନ୍ତୁ ସାବଧାନ ! ଫୁସ୍‌ଫୁସ୍‌ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ। ତେବେ ଏହା ସହିତକ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ଅକାମୀ କରିଦେଇଥାଏ। ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଅବା ମେଦବହୁଳତା ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଗୁରୁତର ସ୍ଥିତି ସୃଷ୍ଟି କରିଥାଏ। ଫୁସ୍‌ଫୁସ୍‌ ସ୍ବାଭାବିକ ଭାବେ କାମ ନ କରିବାରୁ ଶରୀରରେ ଅକ୍ସିଜେନ୍‌ସ୍ତର କମିବାରେ ଲାଗେ ବୋଲି କ୍ୟାନସର ବିଶେଷଜ୍ଞ ମନୀଷ ସିଙ୍ଗଲ କୁହନ୍ତି। ଏହାଯୋଗୁ ହାର୍ଟ ଏବଂ କିଡ୍‌ନୀ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଥାଏ। ଏକଚତୁର୍ଥାଂଶ ଲୋକଙ୍କ କ୍ଷେତ୍ରରେ ଶାରୀରରେ ଟ୍ରୋପୋନିନ୍‌ ଏଞ୍ଜାଇମ୍‌ର ମାତ୍ରା ବଢ଼ିଯାଇଥାଏ। ଫଳରେ ଛାତିରେ ଯନ୍ତ୍ରଣା, ହାଲିଆ ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ ବୋଲି ହାବାର୍ଡ ହେଲଥ୍‌ ପବ୍ଲିକେଶନ୍‌ରେ ପ୍ରକାଶ ପାଇଛି। କେତେକ କ୍ଷେତ୍ରରେ ଭୁଲାପଣ, ମୁଣ୍ଡ ବୁଲାଇ ହେବା ଆଦି ଲକ୍ଷଣ ଦେଖାଯାଉଥିବାର ଜାମା ନ୍ୟୁରୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାର ଉହାନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କରୋନା ଯୋଗୁ ମସ୍ତିଷ୍କ ଏବଂ ସ୍ନାୟୁ କୋଷିକା ପ୍ରଭାବିତ ହେଉଥିବା ଏଥିରେ କୁହାଯାଇଛି।

Share