ସାବଧାନ ! ସ୍ମାର୍ଟଫୋନ୍‌ରୁ ଶୀଘ୍ର ଡିଲିଟ୍‌ କରନ୍ତୁ ଏସବୁ ଆପ୍‌…

ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍‌ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ଟାର୍ଗେଟ୍‌ କରିଛି। ଏସବୁ ଆପ୍‌କୁ ଶୀଘ୍ର ନିଜ ନିଜ ସ୍ମାର୍ଟଫୋନ୍‌ରୁ ଡିଲିଟ୍‌ କରିବାକୁ କୁଇକ୍‌ ହିଲ୍‌ ସିକ୍ୟୁରିଟି ଲାବ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୦୧୯ରେ ଗୁଗଲ ପ୍ଲେ ଷ୍ଟୋର୍‌ରେ ଜୋକର ଭାଇରସ୍‌ ପ୍ରଥମେ ପ୍ରବେଶ କରିଥିଲା। ପରେ ୨୦୨୦ ଜୁଲାଇରେ ଏହା ପ୍ଲେ ଷ୍ଟୋରର ୧୧ଟି ଆପ୍‌କୁ ପ୍ରଭାବିତ କରିଥିଲା। ଏବେ ଏହି ଭାଇରସ୍‌ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ପ୍ରଭାବିତ କରିଛି। ସେଥି ମଧ୍ୟରେ ଅକ୍ସଲାରୀ ଆପ୍‌ ରହିଛି। ଏହି ଆପ୍‌ ଗୁଗଲର ମେସେଜିଂ ଆପ୍‌ ଭଳି ହେଲେ ମଧ୍ୟ ଏଥିରେ କେତେକ ଇମୋଜି ରହିଛି। ଏବେ ପ୍ଲେ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଛି। ସେହିପରି ବିଜ୍‌ନେସ୍‌ ମେସେଜିଂ ପାଇଁ ବ୍ୟବହାର କରାଯାଉଥିବା ଫାଷ୍ଟ୍‌ ମ୍ୟାଜିକ୍‌ ଏସ୍‌ଏମ୍‌ଏସ୍‌ ମଧ୍ୟ ଭାଇରସ୍‌ ଦ୍ୱାରା ପ୍ରଭାବିତ ହୋଇଛି। ଏହା ଶେଷଥର ପାଇଁ ଏପ୍ରିଲ୍‌ ୧୭ରେ ଅପଡେଟ୍‌ ହୋଇଥିଲା। ଜୋକର ଭାଇରସ୍‌ ଦ୍ୱାରା ପ୍ରଭାବିତ ହୋଇଥିବା ଅନ୍ୟ ଆପ୍‌ ମଧ୍ୟରେ ଫ୍ରି କ୍ୟାମ୍‌ ସ୍କାନର, ସୁପର ମେସେଜ୍‌, ଏଲିମେଣ୍ଟ୍‌ ସ୍କାନର, ଗୋ ମେସେଜ୍‌, ଟ୍ରାଭେଲ୍‌ ଓ୍ବାଲପେପରର୍ସ, ସୁପର ଏସ୍‌ଏମ୍‌ଏସ୍‌ ଆଦି ରହିଛି ବୋଲି କୁଇକ୍‌ ହିଲ୍‌ ସିକ୍ୟୁରିଟି ଲାବ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share