ସଚେତନ ରହିଲେ ସୁରକ୍ଷିତ ରହିବେ : କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରେ): ଗଣତାନ୍ତ୍ରିକ ଦେଶରେ ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଆଇନ୍‌କୁ କଡାକଡି ପାଳନ କରିବା ଓ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସମ୍ଭବପର ନୁହେଁ। ନିଜେ ସଚେତନ ରହିଲେ ନିଜକୁ ସୁରକ୍ଷିତ ରଖିପାରିବା। ସୋମବାର ଏଜି ଛକସ୍ଥିତ ଟ୍ରାଫିକ ଥାନା-୧ରେ ଆୟୋଜିତ ୩୨ତମ ‘ସଡ଼କ ସୁରକ୍ଷା ମାସ’କୁ ଉଦ୍‌ଘାଟନ କରି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହା କହିଛନ୍ତି। ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ କରି ଲୋକଙ୍କୁ ସଚେତନ କରାଯାଉଛି। ମୋଟା ଅଙ୍କର ଜରିମାନା ସତ୍ତ୍ୱେ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଆଇନକୁ ପାଳନ କରୁନାହାନ୍ତି। ତେଣୁ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଚଳିତବର୍ଷ ସଡକ ସୁରକ୍ଷା ମାସ ପାଳନ କରାଯାଉଛି ବୋଲି ସେ କହିଛନ୍ତି।
ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଲେ, ଆସନ୍ତା ୧୭ ତାରିଖ ଯାଏ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ବିନ୍‌ସିଟିର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଟ୍ବିନ୍‌ସିଟିରେ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମ ସହ ମିଶି ଜନସାଧାରଣଙ୍କୁ ସଚେତନ କରାଇବେ। ଏହାସହ ପୋଲିସ ବିଭିନ୍ନ ବସ୍ତିକୁ ଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଫିକ ନିୟମ ବାବଦରେ ସଚେତନ କରାଇବ। ସେହିପରି ଡବଲ୍‌ ହେଲ୍‌ମେଟ୍‌ ଓ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଯେ କୌଣସି ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଡିସିପ ମିଶ୍ର କହିଛନ୍ତି।
ଏହି ଅବସରରେ ପୋଲିସ କମିଶନର ଟ୍ରାଫିକ ଥାନା-୧ର ସହାୟତା ସେଲ୍‌ ଉଦ୍‌ଘାଟନ୍‌ କରିଥିଲେ। ଟ୍ରାଫିକ ନିୟମ ଓ ଜରିମାନା ସମ୍ପର୍କରେ କୌଣସି ସୂଚନା ପାଇଁ ଲୋକେ ଏହି ସେଲ୍‌ରେ ଯୋଗାଯୋଗ କରିପାରିବେ। କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲ ପକ୍ଷରୁ କମିଶନରେଟ୍‌ ପୋଲିସକୁ ୨୫ଟି ଫାଷ୍ଟ-ଏଡ୍‌ କିଟ୍‌ ବକ୍ସ ପ୍ରଦାନ କରାଯାଇଥିଲା। ଶେଷରେ ଟ୍ରାଫିକ ପୋଲିସ ଓ ଆମ୍ରି ହସ୍ପିଟାଲ ପକ୍ଷରୁ ଏକ ବାଇକ୍‌ ସଚେତନତା ଶୋଭାଯାତ୍ରା ବାହାରିଥିଲା। କମିଶନର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଓ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

Share