ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଓମିକ୍ରନ କେବଳ ଜିନୋମ ସିକ୍ୱେନ୍ସିଙ୍ଗ ଦ୍ୱାରା ଚିହ୍ନଟ ହୋଇପାରିଥାଏ। ଅପରପକ୍ଷରେ ଭାରତରେ ଆବଶ୍ୟକତା ଅନୁଯାୟୀ ଜିନୋମ ସିକ୍ୱେନ୍ସିଙ୍ଗ କରାଯାଉ ନାହିଁ, ତେଣୁ ଓମିକ୍ରନ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଅଧିକ ହେବାର ଆଶଙ୍କା ରହିଛି।

ବିଶେଷଜ୍ଞ ଓମିକ୍ରନ୍‌କୁ ଡେଲ୍‌ଟା ଭାରିଆଣ୍ଟ୍‌ ତୁଳନାରେ କମ ବିପଜ୍ଜନକ ବୋଲି କହୁଥିଲେ ମଧ୍ୟ ଏହାର ସଂକ୍ରମଣ ପ୍ରକୃତି ଉପରେ ଅଧିକ ସୂଚନା ସଂଗ୍ରହ ପାଇଁ ନିରନ୍ତର ଗବେଷଣା ଚାଲିଛି। ଜାପାନର ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ କରୋନା ଭାଇରସର ପୁରୁଣା ଭାରିଆଣ୍ଟ୍‌ ଅପେକ୍ଷା ପ୍ଲାଷ୍ଟିକ ପୃଷ୍ଠରେ ଏବଂ ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହି ପାରିବ।

ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ମଣିଷ ତ୍ୱଚାରେ ୨୧ ଘଣ୍ଟା ବଞ୍ଚିପାରେ ଏବଂ ପ୍ଲାଷ୍ଟିକ ପୃଷ୍ଠରେ ଆଠ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ। ଜାପାନର ବୈଜ୍ଞାନିକମାନେ କରୋନା ଭାଇରସ ର ସମସ୍ତ ପ୍ରକାରର ପରିବେଶ ସ୍ଥିରତା ଯାଞ୍ଚ୍‌ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଉହାନ ଭାରିଆଣ୍ଟ୍‌ ତୁଳନାରେ ଆଲ୍‌ଫା, ବିଟା, ଡେଲ୍‌ଟା ଏବଂ ଓମିକ୍ରନ୍‌ ମଣିଷ ତ୍ୱଚା ଏବଂ ପ୍ଲାଷ୍ଟିକରେ ଦୁଇଗୁଣରୁ ଅଧିକ ସମୟ ବଞ୍ଚିପାରିବ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପ୍ରକାରର ପରିବେଶ ସ୍ଥିରତା ଅତ୍ୟନ୍ତ ଚିନ୍ତାଜନକ। କାରଣ ଯୋଗାଯୋଗ ମାଧ୍ୟମରେ ଓମିକ୍ରନ୍‌ର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି।

ଗବେଷକମାନେ କହିଛନ୍ତି ଯେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଓମିକ୍ରନ ଦୀର୍ଘ ସମୟ ଧରି ପରିବେଶରେ ସକ୍ରିୟ ରହିପାରୁଥିବା କାରଣରୁ ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଫଳରେ ଓମିକ୍ରନ୍‌ ଭାରିଆଣ୍ଟ ଶୀଘ୍ର ଡେଲ୍‌ଟା ଭଳି ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିବା ଗବେଷକମାନେ କହିଛନ୍ତି।

Share