ସାବଧାନ! ଚେୟାରରେ ବସି କରୁନାହାନ୍ତି ତ ଏମିତି ଭୁଲ୍‌

ଅଫିସରେ କାମ କରୁଥିବା ସମୟରେ ଦୀର୍ଘ ଘଣ୍ଟା ଧରି ଚେୟାରରେ ବସିବାକୁ ପଡ଼ିଥାଏ। ଏପରିକି ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ତେଣୁ ଯଦି ଏପରି କରୁଥାନ୍ତି ତେବେ କେତେକ ଦିଗ ପ୍ରତି ନଜର ଦେବା ଜରୁରୀ। ନଚେତ୍‌ ସ୍ବାସ୍ଥ୍ୟ ପ୍ରତି ଅନେକ କ୍ଷତି ପହଞ୍ଚାଇଥାଏ।
ଅଫିସରେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଆରାମଦାୟକ ଚେୟାର ରହିବା ଅତ୍ୟନ୍ତ ଜରୁରୀ। କାଠ କିମ୍ବା ପ୍ଲାଷ୍ଟିକ ଚେୟାର ବଦଳରେ ଏର୍ଗୋନୋମିକ୍ସ କିମ୍ବା ଯେ କୌଣସି ନମନୀୟ ଚେୟାର ବ୍ୟବହାର କରିବା ଉଚିତ୍‌। କାରଣ ଏହା ଚାପମୁକ୍ତ କରିଥାଏ। ଇଣ୍ଡୋ ଇନୋଭେସନର ସିଇଓ ଆଶିଷ ଅଗ୍ରଓ୍ବାଲ୍‌ କହିଛନ୍ତି, ଏକ ଆରାମଦାୟକ ଚେୟାର ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

କେମିତି ବସିବେ ଚେୟାରରେ?
ଚେୟାରରେ ବସିବା ସମୟରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ। ସବୁବେଳେ ଦୁଇ ପାଦକୁ ଭୂମିରେ ରଖନ୍ତୁ। ପ୍ରାୟତଃ ଅଧିକାଂଶ ଲୋକ ଚେୟାରର ଉଚ୍ଚତା ବଢ଼ାଇ ଗୋଡ଼କୁ ଝୁଲାଇଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ପାଦକୁ ଝୁଲାଇବା ଦ୍ୱାରା ଏହା ଅଣ୍ଟା ହାଡ଼ ଉପରେ ଚାପ ପକାଇଥାଏ। ଫଳରେ ଆଣ୍ଠୁ ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଏପରି ବସିବା ଦ୍ୱାରା ଏହା ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ତେଣୁ ଏସବୁ ଦିଗପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ।