ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା ଆଶଙ୍କା ୧୧୮ ପ୍ରତିଶତ ବଢ଼ିଯାଇଥାଏ। ତେବେ ବାୟୁ ଚଳାଚଳ ହେଉଥିବା ଅଞ୍ଚଳରେ ସଂକ୍ରମଣ ଆଶଙ୍କା ୧୦ ପ୍ରତିଶତ କମ୍‌ ହୋଇଥାଏ ବୋଲି ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମହାମାରୀ ଏବଂ ପ୍ରାଣୀ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପଲ୍‌ ସିକ୍ସ୍‌ଙ୍କ ଅନୁସାରେ ଖୋଲା ପବନରେ କରୋନା ଭୂତାଣୁ ଅଧିକ ସମୟ ଜୀବିତ ରହିପାରି ନ ଥାଏ। ଅପରପକ୍ଷରେ ବନ୍ଦ ଘରେ ଏହା ଅଧିକ ସମୟ ସକ୍ରିୟ ରହିଥାଏ। ଏସମ୍ପର୍କିତ ସର୍ଭେ ରିପୋର୍ଟ ‘ ଦ ନ୍ୟୁ ଓ୍ବାଲର୍‌ଡ ଜର୍ନାଲ’ରେ ପ୍ରକାଶ ପାଇଛି। ଭିଡ଼ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ୩୩ ପ୍ରତିଶତ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି। ଜନ ଗହଳି ଅଞ୍ଚଳରେ କରୋନା ସୁପର ସ୍ପ୍ରେଡ଼ର ସାଜିଥାଏ ବୋଲି ପ୍ରଫେସର ଡ. ନୁଶିନ୍‌ ରଜାନି କହିଛନ୍ତି। ଖୋଲା ପବନରେ ସଂକ୍ରମଣ ହେବା ଆଶଙ୍କା ସମୟ ଅବଧି ଉପରେ ନିର୍ଭର କରିଥାଏ। ଜଣେ କେତେ ସମୟ ବାହାରେ ରହୁଛନ୍ତି ତାହା ଉପରେ ସଂକ୍ରମଣର ପ୍ରଭାବ ଅନୁଭୁତ ହୋଇଥାଏ ବୋଲି ସେ କହିଛନ୍ତି।

Share