ସାବଧାନ ! ଭାକ୍ସିନ୍‌ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି କୁହାଯାଉଥିବା ରିପୋର୍ଟକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ମିକ୍ସିଂ ପ୍ରତି ସାବଧାନ ରହିବାକୁ ଡବ୍ଲ୍ୟୁଏଚ୍‌ଓ କହିଛି। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇ ନାହିଁ। ଏଭଳି କରିବା ଅତି ଭୟଙ୍କର ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୟୁରୋପରେ ପ୍ରଥମ କରି ଜର୍ମାନୀରେ ଭାକ୍ସିନ୍‌ ମିକ୍ସିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏଠାରେ ଆଷ୍ଟ୍ରାଜେନିକା, ମଡ଼ର୍ନା ଏବଂ ଫାଇଜର ଭାକ୍ସିନ୍‌ ଲୋକଙ୍କୁ ମିଶ୍ରିତ ଭାବେ ଦିଆଯିବାକୁ ଯୋଜନା କରାଯାଉଛି। ଏଠାରେ ଲୋକଙ୍କୁ ଏଣିକି ଉପଲବ୍ଧ ଭାକ୍ସିନ୍‌ର ଦୁଇ ଭିନ୍ନ ଭିନ୍ନ ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମ ଡୋଜ୍‌ ଆଷ୍ଟ୍ରାଜେନିକା ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‌ରେ ଫାଇଜର ଅବା ମଡ଼ର୍ନା ଭାକ୍ସିନ୍‌ ଦିଆଯାଇ ପାରିବ। ଏହାଦ୍ୱାରା କରୋନା ମହାମାରୀ ବିରୋଧରେ ଲଢ଼ିବା ସହଜ ହେବ ବୋଲି ଜର୍ମାନୀରେ ଟିକାକରଣ ପାଇଁ ଗଠନ କରାଯାଇଥିବା ସ୍ଥାୟୀ କମିଟି ଷ୍ଟିକୋ ପକ୍ଷରୁ କୁହାଯାଇଛି। ମାତ୍ର ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏଭଳି ଭାକ୍ସିନ୍‌ ମିକ୍ସିଂ ନ କରାଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

Share